ସ୍ମୃତିରଞ୍ଜନ ଲେଙ୍କା ଆଇଓ୍ବାଇସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ଭୁବନେଶ୍ବର, ୧୬ା୬(ସୁନିତ୍‌ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପାଇଁ ଓଡ଼ିଶାରେ ଭୋଟିଂ ପ୍ରକ୍ରିୟା ସରିଯାଇଛି। ଦଳୀୟ ସୂତ୍ରରୁ ଯାହା ଜଣାପଡ଼ିଛି ଚଳିତ ମାସ ଶେଷ ସୁଦ୍ଧା ଏହାର କାଉଣ୍ଟିଂ ଶେଷ ହୋଇଯିବ। ତେବେ ଏହା ପୂର୍ବରୁ ଓଡ଼ିଶା ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି(ଆଇଓ୍ବାଇସି)ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଅଖିଳ ଭାରତୀୟ ଯୁବକଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ ଓ ଯୁବକଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ଭି. ଶ୍ରୀନିବାସନ ସ୍ମୃତିରଞ୍ଜନଙ୍କୁ ଏହି ଗୁରୁଦାୟିତ୍ୱ ଦେବା ସହ ଉତ୍ତର-ପୂର୍ବ ରାଜ୍ୟ ଆସାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।
ପ୍ରକାଶଯୋଗ୍ୟ, ୨୦୧୭ରୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ସ୍ମୃତିରଞ୍ଜନ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ୨୦୨୦ ଜୁନ୍‌ରୁ ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ ସ୍ମୃତିରଞ୍ଜନ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି, ଟାଟା କମ୍ପାନୀ ଦ୍ୱାରା ଛଟେଇ କର୍ମଚାରୀଙ୍କ ହକ୍‌ ପାଇଁ ଲଢ଼େଇ, ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବୃତ୍ତି ରାଶିକୁ ପୁନଃ ପ୍ରଦାନ ଆଦି ବହୁ ସମସ୍ୟା ଉତ୍ଥାପନରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସ୍ମୃତିରଞ୍ଜନ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

Share