ଜଗତସିଂହପୁର,୨୦ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍) ପରୀକ୍ଷା ୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ମୋଟ ୬୮୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ମହାତଳ ଗ୍ରାମର ସ୍ମୃତିରଞ୍ଜନ ସ୍ବାଇଁ ୩୯୮ ର଼୍ୟାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ସ୍ମୃତିରଞ୍ଜନଙ୍କ ପିତା ନିରଞ୍ଜନ ସ୍ବାଇଁ କେନ୍ଦ୍ର ସରକାରଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ମାତା ଦୀପ୍ତିବାଳା ଜଣେ ଗୃହିଣୀ ଅଟନ୍ତି।
ସ୍ମୃତିରଞ୍ଜନ କୁଳକଇଜଙ୍ଗା ସରସ୍ବତୀ ଶିଶୁମନ୍ଦିରରେ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଯୁକ୍ତ ଦୁଇ ଜୁନିଅର କଲେଜ ରେଭେନ୍ସା, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରେ ବିଟେକ୍ କରିଥିବାବେଳେ ବୁର୍ଲାରେ ଏମ୍ଟେକ୍ କରିଥିଲେ। ସ୍ମୃତି ଜଣେ ମେଧାବୀ ଛାତ୍ର ଅଟନ୍ତି। ଦୀର୍ଘଦିନର ପରିଶ୍ରମ ପରେ ତାଙ୍କୁ ଏହି ସଫଳତା ମିଳିଛି ବୋଲି କହିଛନ୍ତି ସ୍ମୃତିରଞ୍ଜନ। ତାଙ୍କ ସଫଳତା ନେଇ ଅଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଛି।