ଅନ୍ତଃବସ୍ତ୍ରରେ ଲୁଚାଇ ଆଣୁଥିଲେ ୨ କୋଟିର ସୁନା ବିସ୍କୁଟ୍‌

ଲକ୍ଷ୍ନୌ, ୧୭।୯: ଲକ୍ଷ୍ନୌ କଷ୍ଟମ ବିଭାଗ ଟିମ୍‌ ସ୍ଥାନୀୟ ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସାଉଦୀ ଆରବରୁ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୩.୮ କିଲୋଗ୍ରାମର ସୁନା ବିସ୍କୁଟ ଜବତ କରିଛି। ଜବତ ସୁନା ବିସ୍କୁଟର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। କଷ୍ଟମ ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ବୁଧବାର ରାତିରେ ସାଉଦୀ ଆରବରୁ ଲକ୍ଷ୍ନୌ ଆସୁଥିବା ବିମାନ ନମ୍ବର ଜି୮ ୬୪୫୧ରେ ଜଣେ ଯାତ୍ରୀଙ୍କ ନିକଟରୁ ୩୩ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଥିଲା। ପ୍ରତ୍ୟେକ ବିସ୍କୁଟର ଓଜନ ୧୧୬.୬୪ ଗ୍ରାମ ହେବ। ଯାହାର ମୂଲ୍ୟ ୨ କୋଟି ୯ ଲକ୍ଷ ୭୭ ହଜାର ୭୦୪ ଟଙ୍କା ହେବ। ଜବତ ସୁନା ବିସ୍କୁଟଗୁଡ଼ିକୁ ସେଲୋଟେପ୍‌ ସହାୟତାରେ ଚାପି ଏକ ଥଳିରେ ରଖାଯାଇଥିଲା। ଏହି ଥଳିଟି ବ୍ୟକ୍ତି ଜଣଙ୍କ ନିଜ ଅନ୍ତଃବସ୍ତ୍ର ମଧ୍ୟରେ ଲୁଚାଇ ରଖିଥିଲେ। ସନ୍ଦେହ ହେବାରୁ କଷ୍ଟମ ବିଭାଗ ପକ୍ଷରୁ ସେହି ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ମାତ୍ର ୨ ଦିନ ମଧ୍ୟରେ ଉକ୍ତ ବିମାନ ବନ୍ଦରରୁ ଦ୍ୱିତୀୟଥର ଲାଗି ଏତେ ପରିମାଣର ସୁନା ଜବତ କରାଯାଇଛି। ଏଥିପୂର୍ବରୁ ମଙ୍ଗଳବାର ଦୁବାଇରୁ ଲକ୍ଷ୍ନୌ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ନିକଟରୁ ୫୮୩ ଗ୍ରାମର ସୁନା ବିସ୍କୁଟ ଜବତ କରାଯାଇଥିଲା। ଏହାର ବଜାର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

Share