ବଢୁଛି ଚୋରାମଦ କାରବାର

ଯାଜପୁର ସଦର,୧୬ା୧୧(ସମର ବିଜୟ ଶରଣ)ଯାଜପୁର ସଦର ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଥାନା ଅଧୀନ ବରୁଅଁା ଛକ ନିକଟରେ ୩ ମଦ ଦୋକାନ ରହିଛି। ସେଥିମଧ୍ୟରୁ ଗୋଟିଏ ଠିପି ବନ୍ଦ, ଗୋଟିଏ ବାର୍‌ ଓ ଅନ୍ୟଟି ଦେଶୀ ମଦ ବିକ୍ରୟ କେନ୍ଦ୍ର। ଠିପି ବନ୍ଦ ଦୋକାନ ନାମକୁ ମାତ୍ର ହୋଇଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସେଠାରେ ହାଟଭଳି ଜନ ସମାଗମ ହେଉଛି। ମଦ ଦୋକାନ ନିକଟରେ ଚାଖଣା ଦୋକାନ ଖୋଲିଥିବାରୁ ମଦ୍ୟପଙ୍କ ପାଦୁର୍ଭାବ ବଢ଼ିଚାଲିଛି। ବରୁଅଁା-ବ୍ରହ୍ମବରଦା ମୁଖ୍ୟ ରାସ୍ତା ଉପରେ ଲୋକେ ଗାଡ଼ି ରଖି ମଦ ଦୋକାନକୁ ଯାଉଥିବାରୁ ରାସ୍ତା ଜାମ୍‌ ସହିତ ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ଏହି ରାସ୍ତା ଦେଇ ଛାତ୍ରୀଛାତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବରୁଆଁ ଛକ ନିକଟରେ ଥିବା ବାରରେ ମଦ ପିଇ କେତେଜଣ ରାସ୍ତା କଡ଼ରେ ପଡୁଥିବାର ଦେଖାଯାଉଛି ଏବଂ ତାଙ୍କ ଉପରେ ଗାଡ଼ି ଚଢ଼ିଯିବା ସମ୍ଭାବନା ରହୁଛି। ଏହା ଏକ ନିତି ଦିନିଆ ଘଟଣା ହୋଇଯାଇଛି।
ଏହାବ୍ୟତୀତ ବରୁଅଁା ଛକ ନିକଟବର୍ତ୍ତୀ ବରମୁଣ୍ଡା ଛକ, ରାଜଘାଟ୍‌, କଚେରି ଗାଁ, ମାଧପୁର, କଳସପୁର, ଭୁବନପୁର, ସାମଦାସପୁର, କୁଝାଲା ଛକ, ତାରିଣୀ ଛକ, ତୋଫି ଛକ, ରେକାବି ବଜାର ଆଦି ଛକ ଓ ଗ୍ରାମରେ ବେଧଡ଼କ ଚୋରା ମଦ କାରବାର ଚାଲିଛି। ଦୀର୍ଘଦିନରୁ ଏହି ଚୋରା ମଦ କାରବାର ଚାଲିଥିଲେ ମଧ୍ୟ ଯାଜପୁର ସଦର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଢ଼ାଉ କରାଯାଉଛି। ଫଳରେ ପୋଲିସ ଓ ଅବକାରୀ ବିଭାଗ ପହଞ୍ଚତ୍ବା ପୂର୍ବରୁ ଚୋରା ମଦ ବେପାରୀ ଫେରାର ହୋଇଯାଉଛନ୍ତି। ଚୋରା ମଦ ବେପାରୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଦିନକୁଦିନ ସେମାନେ ନିଜ ବ୍ୟବସାୟ ବଢ଼ାଇ ଚାଲିଛନ୍ତି। ଗଁାରେ ବିନା ବାଧାରେ ମଦ ବିକ୍ରି ହେଉଥିବାରୁ ଛୋଟଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। କେତେକ ପରିବାରଙ୍କ ମଧ୍ୟରେ ମଦ ପାଇଁ ବିଶୃଙ୍ଖଳା ସୃଷ୍ଟି ହେଉଛି। ହୋଟେଲ, ପାନ ଦୋକାନ, ଜଳଖିଆ ଦୋକାନ ଆଦିରେ ସହଜରେ ଚୋରା ମଦ ମିଳିଯାଉଥିବାରୁ ମଦ୍ୟପାନ କରି ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ତେଣୁ ସଦର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏ ଦିଗରେ ଦୃଷ୍ଟିଦେଇ ଚୋରାମଦ କାରବାର ରୋକିବାକୁ ଦାବି ହୋଇଛି। ଏହା ନ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share