ମହଙ୍ଗା ପଡ଼ିଲା ପୋଲିସ ଭ୍ୟାନରେ ଚୋରା କାଠ ଚାଲାଣ

ପାରଳାଖେମୁଣ୍ଡି,୪।୧୧: ଗଜପତି ଜିଲାରେ ପୋଲିସ ଭ୍ୟାନ୍‌ ଯୋଗେ କାଠ ଚୋରା ଚାଲାଣ ମାମଲାରେ ଅଟକ ଥିବା ୪ ପୋଲିସ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ରିଜର୍ଭ ପୋଲିସ ତୃତୀୟ ବାଟାଲିୟନର ଯବାନ ତସମନ୍ତ ଆଚାର୍ଯ୍ୟ, ଚିନ୍ମୟ ବେହେରା, ପ୍ରଭାତ ମହାକଡ଼ ଏବଂ ଗାଡି ଡ୍ରାଇଭର ଶ୍ରୀଧର ମହାପାତ୍ର। ୧୯୭୨ ଫରେଷ୍ଟ ଆକ୍ଟ ୫୬ ଓ ୧୯୮୦ ଓଟିଇଟି ଆକ୍ଟ ୪, ୧୨, ୧୪ ଓ ୨୧ ଧାରା ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ।

ସୂଚନା ଯୋଗ୍ୟ, ମଙ୍ଗଳବାର ଭୋର୍‌ରେ ବନ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ପୋଲିସ ଭ୍ୟାନକୁ ସନ୍ଦେହ କରି ଅଟକାଇଥିଲେ। ବନ କର୍ମଚାରୀ ଯାଞ୍ଚ ବେଳେ ଭ୍ୟାନ୍‌ରେ ମୂଲ୍ୟବାନ ସାଇଜ୍‌ ଶାଗୁଆନ କାଠ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। କାଠ ସହ ଗାଡ଼ି ଓ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ।

Share