ବୋକାରୋ, ୧୮।୮: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳ ଦେଖାଉଥିବାବେଳେ ନାଗ ସାପ ଦଂଶିବାରୁ ଜଣେ କେଳାର ମୃତ୍ୟୁ ହୋଇଛି। ଜିଲାର ବଗଦା ଗ୍ରାମରେ ଏହି ଘଟଣା ଘଟିଛି। ଟେକ୍ଲାଲ ଡୋମ ନାମକ ଜଣେ ୫୦ ବର୍ଷୀୟ କେଳା ଘର ବାହାରେ ପେଡ଼ିରୁ ଗୋଟିଏ ନାଗ ସାପ ବାହାର କରି ଖେଳ ଦେଖାଉଥିଲେ। ଏହି ସମୟରେ ନାଗ ସାପଟି ୩ଥର ତାଙ୍କ ବାମହାତକୁ ଦଂଶି ଦେଇଥିଲା। ଏହାପରେ ଟେକ୍ଲାଲ ଚମତ୍କାର କରିବା ଲକ୍ଷ୍ୟରେ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିଲେ। ଏପରିକି ଯେଉଁ ସ୍ଥାନକୁ ନାଗ ଦଂଶନ କରିଥିଲା ସେଠାରୁ ପାଟିରେ ଚୁସି ରକ୍ତ ବାହାର କରିଦେଇଥିଲେ। ଫଳରେ ସେ ଅଧିକ ଗୁରୁତର ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଅଧା ବାଟରେ ଟେକ୍ଲାଲର ମୃତ୍ୟୁ ହୋଇଥିବା ଭାବି ଫେରାଇ ଆଣିଥିଲେ। ପରିବାର ଲୋକ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ହଠାତ୍ ଟେକ୍ଲାଲର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଅନୁଭବ କଲେ। ତେଣୁ ପୁନର୍ବାର ସେମାନେ ତାକୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ଟେକ୍ଲାଲଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଟେକ୍ଲାଲଙ୍କ ବାପା ଜଣେ ପ୍ରସିଦ୍ଧ କେଳା ଥିଲେ। ଟେକ୍ଲାଲ ମଧ୍ୟ ବାଜା ବଜାଇବାରେ ବେଶ୍ ପାରଙ୍ଗମ ଥିଲେ। ଦୂରଦର୍ଶନରେ ସେ ତାଙ୍କ ସାଥୀଙ୍କ ସହ ଅନେକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। କିନ୍ତୁ ପେଟ ପୋଷିବା ପାଇଁ ସେ ସାପ ଖେଳ ଦେଖାବାକୁ ବାଧ୍ୟ ହେଉଥିଲେ।