ସ୍ନେକ୍‌ ମସାଜ: ପିଠି-ମୁହଁରେ ଛଡ଼ାଯାଏ ୨୮ ପ୍ରକାର ସାପ

କାଏରୋ,୩୦।୧୨: ବିଭିନ୍ନ ପ୍ରକାର ମସାଜ ସମ୍ପର୍କରେ ଜଣାଅଛି। ତେବେ ପିଠି ଏବଂ ମୁହଁରେ ସାପକୁ ଛାଡ଼ି ମସାଜ୍‌ କରିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଇଜିପ୍ଟରେ ଏଭଳି ଏକ ସ୍ପା ରହିଛି ଯେଉଁଠି ସାପଙ୍କ ଦ୍ୱାରା ମସାଜ କରାଯାଇଥାଏ। ରାଜଧାନୀ କାଏରୋରେ ଏହି ସ୍ପା ରହିଛି। ଏଠାରେ ବିଷ ନ ଥିବା ସାପଙ୍କ ଦ୍ୱାରା ସାଧାରଣତଃ ମସାଜ୍‌ କରାଯାଇଥାଏ। ମସାଜ୍‌ କାର୍ଯ୍ୟରେ ଅଜଗରଠାରୁ ଆରମ୍ଭ କରି ଅନ୍ୟ ପ୍ରଜାତିର ପ୍ରାୟ ୨୮ ପ୍ରକାର ସାପ ବ୍ୟବହାର କରାଯାଇଥାଏ ବୋଲି ସ୍ପାର ମାଲିକ ସଫଓ୍ବତ୍‌ ସେଡ଼ିକ୍‌ କହିଛନ୍ତି। ଦୀର୍ଘ ୩୦ ମିନିଟ୍‌ ଧରି ଏହି ମସାଜ କରାଯାଇଥାଏ। ଏହାଦ୍ୱାରା ଶରୀରକୁ ଆରାମ୍‌ ମିଳିବା ସହିତ ବିଭିନ୍ନ ପ୍ରକାର ପିଠି ଯନ୍ତ୍ରଣା ଉପଶମ ହୋଇଥାଏ ବୋଲି ମାଲିକ କହିଛନ୍ତି। ଏବେ ସାପ ମସାଜର ୧ ମିନିଟ୍‌ ୧୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଗଣମାଧ୍ୟମ ସଂସ୍ଥା ରଏଟରର ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରାଯାଇଛି।

Share