ସାପଙ୍କୁ ନେଇ ଏବେ ବି ଲୋକଙ୍କ ମନରେ ଭ୍ରାନ୍ତଧାରଣା ରହିଛି। ଫଳରେ କେତେକ ସ୍ଥାନରେ ଲୋକଙ୍କର ଜୀବନହାନି ହେଉଥିବାବେଳେ ଆଉ କେତେକ ସ୍ଥଳରେ ସାପଙ୍କୁ ମାରିଦିଆ ଯାଉଛି। ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ ଓ ଭ୍ରାନ୍ତଧାରଣାକୁ ଦୂରେଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ ତାରିଖରେ ‘ବିଶ୍ୱ ସର୍ପ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀରେ ରହି ଆସିଥିବା ସେଭଳି କିଛି ଭ୍ରାନ୍ତଧାରଣା ସମ୍ପର୍କରେ…
ଧଣ୍ଡ ସାପ କାମୁଡ଼ିଲେ ଆଉ କେଉଁ ସାପ କାମୁଡ଼ନ୍ତିନି
ସାଧାରଣରେ ଏକ ଧାରଣା ଅଛି ଯେ, ଧଣ୍ଡ ସାପ ସର୍ପଜାତିର ସବୁଠାରୁ ଛୋଟ । ତେଣୁ ସେ କାମୁଡିଥିବା ଲୋକଙ୍କୁ ଭବିଷ୍ୟତରେ ଆଉ କୌଣସି ସାପ କାମୁଡେ ନାହିଁ। ମାତ୍ର ବାସ୍ତବରେ ସାପ କାମୁଡିଥିବା ବ୍ୟକ୍ତି ଟି ଏଭଳି ଘଟଣା ପରେ ଅତ୍ୟଧିକ ସତର୍କ ହୋଇ ଯାଇଥାଏ। ଫଳରେ ଭବିଷ୍ୟତରେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି।
ଧଣ୍ଡ ସାପର ଗୁରୁବାର, ଢମଣାର ଶୁକ୍ରବାର ବିଷ ଥାଏ
ଧଣ୍ଡ ଓ ଢମଣା ସାପର ବିଷ ନ ଥାଏ। ତେବେ ଧଣ୍ଡ ସାପ ଗୁରୁବାର ଓ ଢମଣା ସାପର ଶୁକ୍ରବାର ବିଷଥାଏ। ତେଣୁ ଏହି ଦୁଇଦିନରେ ସମ୍ପୃକ୍ତ ସାପ କାମୁଡିଲେ ଲୋକଙ୍କ କ୍ଷତି ହୁଏ ବା ସେମାନେ ମୃତ୍ୟୁମୁଖରେ ପଡନ୍ତି ବୋଲି ଅନେକାଂଶରେ ଧାରଣା ରହିଛି। ମାତ୍ର ଏହା ଠିକ୍ ନୁହେଁ। ଧଣ୍ଡ ଓ ଢମଣା ସାପର ବିଷ ଦାନ୍ତ, ବିଷ ଗ୍ରନ୍ଥି ଏବଂ ବିଷ ପରିବହନ ପାଇଁ କମ୍ପ୍ରେସର ମସଲସ୍ ନ ଥାଏ। ଏଥିଯୋଗୁ ସେମାନେ ବିଷହୀନ ସର୍ପ ପରିଗଣିତ ହୁଅନ୍ତି। ତେଣୁ କେବଳ ଗୁରୁବାର ଏବଂ ଶୁକ୍ରବାର ସେମାନଙ୍କ କାମୁଡ଼ାରେ ବିଷ ଆସିବା ଅସମ୍ଭବ।
ଲାଉଡଙ୍କିଆ ସାପ ଆଖିକୁ ଚୋଟ ମାରେ
ଏହି ସାପର ରଙ୍ଗ ସବୁଜ ଆଉ ଲାଉ ଡଙ୍କ ଭଳି ସରୁଆ। ତେଣୁ ଏହାର ନାମ ଲାଉଡଙ୍କିଆ ସାପ। ସାପଟି ଗଛରେ ରହୁଥିବାରୁ ଗଛତଳେ ଥିବା ଲୋକର ମୁଣ୍ଡକୁ ଆଘାତ କରେ। ମାତ୍ର ଆଖିକୁ ଚୋଟ ମାରିବା ଭଳି ଘଟଣା କେବେ ବି ସାମ୍ନାକୁ ଆସିନାହିଁ। ତେବେ ଗଛରେ ଥିବା ଏଣ୍ଡୁଅ, ଝିଟିପିଟି ଆଦି ସମ୍ମୁଖକୁ ଆସିଲେ ଲାଉଡଙ୍କିଆ ସେମାନଙ୍କ ଆଖିକୁ ଦେଖି ଶିକାର କରିବାକୁ ଚେଷ୍ଟା କରେ। ତେବେ ମଣିଷ ଆଖିକୁ ଚୋଟ ମାରିବା କଥା ଏକ ଭ୍ରାନ୍ତ ଧାରଣା।
ସାପ କ୍ଷୀର ପିଏ: ଅନେକ ଲୋକ ନାଗ ସାପକୁ କ୍ଷୀର ପିଇବାକୁ ଦେଇଥାନ୍ତି। କାରଣ ସାପମାନେ କ୍ଷୀର ପିଅନ୍ତି ବୋଲି ଧାରଣା ଥାଏ। ମାତ୍ର ତାହା ସତ୍ୟ ନୁହେଁ। ଏଥିସହ ଢମଣା ସାପ ଗାଈଠାରୁ କ୍ଷୀର ପିଇଦିଏ ବୋଲି ଭ୍ରାନ୍ତ ଧାରଣା ରହିଛି। ତେବେ କ୍ଷୀରକୁ ହଜମ କରିବା ପାଇଁ ସ୍ତନ୍ୟପାୟୀ ପ୍ରାଣୀଙ୍କର ଯେଉଁ ଏନ୍ଜାଇମ୍ ଥାଏ, ତାହା ସାପମାନଙ୍କ ଦେହରେ ନ ଥାଏ। ତେଣୁ ସେମାନେ କ୍ଷୀର ପିଅନ୍ତି ନାହିଁ କିମ୍ବା କୌଣସି ସ୍ଥଳରେ ପିଇଲେ ତାକୁ ହଜମ କରି ପାରନ୍ତି ନାହିଁ। ଯାହାକି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।
ନାଗ ମୁଣ୍ଡରେ ମଣି: ନାଗ ମୁଣ୍ଡରେ ଥିବା ମଣି ପାଖରେ ରହିଲେ ଧନ ଲାଭ ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଧାରଣା ରହିଛି। କେତେକ ସାପୁଆ କେଳା ନିଜ ସହିତ ନାଗ ମଣି ଆଣି ବିକ୍ରି କରିଥାନ୍ତି। ମାତ୍ର ତାହା ନାଗମଣି ନୁହେଁ। ମାଛର ଆଖିକୁ ଦୀର୍ଘ ସମୟ ଧରି ହଳଦୀ ପାଣିରେ ପକାଇ ରଖିବା ପରେ ତାକୁ ନାଗମଣି କହି କେତେକ ବିକ୍ରି କରିଥାନ୍ତି। ବାସ୍ତବରେ ସାପ ମୁଣ୍ଡରେ କୌଣସି ମଣି ନ ଥାଏ।ଏ ସମ୍ପର୍କରେ ସ୍ନେକ ହେଲ୍ପ ଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ସାପମାନଙ୍କୁ ନେଇ ଆମ ମଧ୍ୟରେ ଭୟ ସହିତ ବହୁ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବା ପାଇଁ ବ୍ୟାପକ ଆଲୋଚନା ଏବଂ ସଚେତନତା ଆବଶ୍ୟକ। କେବଳ ଏତିକି ନୁହେଁ ସାପକୁ ମୁଣ୍ଡରେ ପକାଇଲେ ବିବାହ ଯୋଗ ଫିଟିବା, ନାଗର ଛୁଆ ଢମଣା, ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳି ବିଷ ଝାଡିବା ଭଳି ବହୁ ଭ୍ରାନ୍ତ ଧାରଣା ଲୋକଙ୍କ ମଧ୍ୟରେ ରହି ଆସିଛି। ଏ ସବୁ ଦୂର ହେବା ନିହାତି ଆବଶ୍ୟକ। ସେହିପରି ସାପ ଆମ ପରିବେଶରେ ସନ୍ତୁଳନ ରକ୍ଷାରେ ସହାୟକ ହୋଇଥାନ୍ତି। ତେଣୁ ସେମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ।
ଓଡ଼ିଶାରେ ଦେଖାଯାଉଥିବା ସାପ
ଓଡ଼ିଶାରେ ସାଧାରଣତଃ ଦେଖାଯାଉଥିବା ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡା (ରସଲ ଭାଇପର୍), ଧୂଳିଆ ବୋଡା (ସ’ ସ୍ପେଲ୍ଡ ଭାଇପର୍), ତାଳୁଆ ବୋଡା (ବାମ୍ବୋ ପିଟ୍ ଭାଇପର୍), ଅହିରାଜ (କିଙ୍ଗ୍କୋବ୍ରା)ଆଦି ବିଷଧର ଅଟନ୍ତି। ସେହିପରି ବିଷହୀନ ସାପଙ୍କ ମଧ୍ୟରେ ଧଣ୍ଡ, ଢମଣା, ମାଟି ବିରାଡି, ଅଜଗର, କାଣ୍ଡନାଳ, ବାଲିବୋଡା, ଦୋମୁଣ୍ଡିଆ ଆଦି ରହିଛନ୍ତି। ଏମାନଙ୍କ ବ୍ୟତୀତ ଲାଉ ଡଙ୍କିଆ, ତାଳି ସାପ ଆଦି କିଛି ସାପ ସ୍ବଳ୍ପ ବିଷଧାରୀ। ଏମାନେ ଏଣ୍ଡୁଅ, ଝିଟିପିଟି ଏବଂ ଛୋଟଛୋଟ ପକ୍ଷୀମାନଙ୍କ ପାଇଁ ବିଷଧର ସାଜୁଥିବାବେଳେ ମଣିଷଙ୍କ କ୍ଷେତ୍ରରେ ସେତେଟା ବିଷାକ୍ତ ନୁହନ୍ତି।
ରିପୋର୍ଟ: ବନ୍ଦନା ସେଠୀ, ଭୁବନେଶ୍ୱର