କୂଳ ଖାଉଛି ନାଗାବଳୀ

ରାୟଗଡ଼ା,୧୬।୭(ଭାଗ୍ୟଶ୍ରୀ ମିଶ୍ର)ଆସିଲା ବର୍ଷାଦିନ। ନଦୀକୂଳିଆ ବା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘାରିଛି ଚିନ୍ତା। ନାଗୀବଳୀରେ ବର୍ଷା ଯୋଗୁ ପାଣି ବଢ଼ିଲେ ଘର ବୁଡ଼ିଯିବା ଆଶଙ୍କା ରହିଛି। ରାୟଗଡ଼ା ସହରର ୧୧ ନମ୍ବର ୱାର୍ଡ ଅନଟାରିଗୁଡ଼ାରେ କୂଳ ଖାଉଛି ନାଗାବଳୀ ନଦୀ। ଭୟରେ ଅଛନ୍ତି ନଦୀକୂଳିଆ ଲୋକେ।
ଅଣ୍ଟାରିଗୁଡ଼ାରେ ପ୍ରାୟ ୩୦୦ ପରିବାର ବାସ କରନ୍ତି। ବର୍ଷା ଆସିଲେ ନାଗାବଳୀର ଜଳସ୍ତର ବଢ଼ିବା ସହ ନଦୀ କୂଳ ଖାଇ ଗାଁ ଖାଇବାକୁ ବସିଲାଣି ନଦୀ ତେଣୁ ଚିନ୍ତାରେ ରହିଛନ୍ତି ଅଞ୍ଚଳବାସୀ l ବର୍ଷାଦିନରେ ନଦୀର ଜଳସ୍ତର ବଢ଼ିଲେ ମାଟି ଖାଇଖାଇ ଆସୁଛି। କେବଳ ବର୍ଷାଦିନ ବୋଲି ମଧ୍ୟ ନାହିଁ ଖରାଦିନେ ପାଣି ଅଧିକ ହେଲେ ମଧ୍ୟ ମାଟି ଖସିଯାଉଛି। ଏପରି ହୋଇ ନଦୀ ଗାଁ ପାଖକୁ ଆସିଲାଣି । ବାରମ୍ବାର ଅଞ୍ଚଳବାସୀ ଏନେଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି l ନଦୀ ଚତୁଃର୍ପାଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଅନେକ ଥର ଦାବି କରାଯାଇଛି। ପ୍ରଶାସନ ଦାବି ପୂରଣ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଭୁଲିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜିଲାରେ ଗାର୍ଡଓ୍ବାଲ ନିର୍ମାଣ, ତଳିଆ ଅଞ୍ଚଳବାସୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଜଳସେଚନ ବିଭାଗ ରହିଥିଲେ ସୁଦ୍ଧା କୌଣସି କାର୍ଯ୍ୟ କରାଯାଉ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ନାରାୟଣ କଶ୍ୟଙ୍କୁ ଏ ନେଇ ପଚାରିବାରୁ ଟେକ୍ନିକାଲ ଟିମ୍‌ ଆସି ଦେଖିବା ପରେ ଗାର୍ଡୱାଲ କରାଯିବା କଥା ଆଗକୁ ବଢ଼ିବ ବୋଲି ସେ କହିଛନ୍ତି । ଗତ ବର୍ଷ ମଧ୍ୟ ବିଭାଗ ପକ୍ଷରୁ ସମାନ କଥା କୁହାଯାଇଥିଲା। ଏବେ ସୁଦ୍ଧା କାମ ଆଗକୁ ନ ବଢ଼ିବା ବିଡ଼ମ୍ବନାର ବିଷୟ ବୋଲି ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି। ବର୍ତ୍ତମାନ ନାଗାବଳୀ ନଦୀରୁ ଅଣ୍ଟାରିଗୁଡ଼ା ଗ୍ରାମ ୬୦୦ ମିଟର ଦୂରରେ ରହିଛି। ତେଣୁ ତୁରନ୍ତ ଗାର୍ଡୱାଲ ବନାଇ ସୁରକ୍ଷା ଦେବାକୁ ସ୍ଥାନୀୟ ଅଞ୍ଚଳର ଯାନୀ ଶ୍ରୀଦେବୀ କହିଛନ୍ତି।
Share