ମାସ୍କ ନ ପିନ୍ଧିଲେ ୨୫ ଫୁଟ ଯାଇପାରେ ଛିଙ୍କ

ଭୁବନେଶ୍ୱର, ୧।୧୨(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଛିଙ୍କିବା ସମୟରେ ମାସ୍କ କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କେତେଦୂର ସଂକ୍ରମଣ ରୋକିବାରେ ସକ୍ଷମ ତାହାକୁ ନେଇ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଉକ୍ତ ଅଧ୍ୟୟନରୁ ଜଣାପଡିଛି, ଖାଲି ମୁହଁରେ ଛିଙ୍କିଲେ ବା କାଶିଲେ ଛୋଟ ବୁନ୍ଦା ଏକ ସ୍ଥିର ପରିବେଶରେ ୨୨ରୁ ୨୫ ଫୁଟ ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଫେସ୍‌ ମାସ୍କ ଓ ଫେସ୍‌ ସିଲ୍ଡ ପରି ପ୍ରତିରୋଧକ ବ୍ୟବସ୍ଥା ଥିଲେ ୧ରୁ ୩ଫୁଟ ପର୍ଯ୍ୟନ୍ତ ଛିଙ୍କର ବିନ୍ଦୁ ବ୍ୟାପିଥାଏ। କିନ୍ତୁ ତାହା ଛୋଟ ଛୋଟ ବୁନ୍ଦାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରେ ନାହିଁ। ମାସ୍କ ପିନ୍ଧିଥିଲେ ମଧ୍ୟ କାଶ ଓ ଛିଙ୍କିବା ସମୟରେ ହାତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସଂକ୍ରମଣକୁ ରୋକିବାକୁ ୬ ଫୁଟ ସାମାଜିକ ଦୂରତା ରଖିବା ଜରୁରୀ ବୋଲି ଅଧ୍ୟୟନରେ ଦର୍ଶାଯାଇଛି। ଏହି ଅଧ୍ୟୟନଟି ସ୍କୁଲ ଅଫ୍‌ ମେକାନିକାଲ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଭେନୁଗୋପାଳ ଅରୁମୁରୁ ଓ ତାଙ୍କ ଟିମ୍‌ ଦ୍ୱାରା ହୋଇଥିଲା। ଏଥିପାଇଁ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଆର୍‌. ଭି. ରାଜକୁମାର ଉକ୍ତ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Share