ୟୁକ୍ରେନ୍‌ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…

କ୍ୱିଭ୍‌, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଭଳି ମନେ ହେଉନାହିଁ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପରମାନଙ୍କ ମଧ୍ୟରୁ ଜଣେ ଜଣାଶୁଣା ନାମ ଭାବେ ‘ଓ୍ବାଲି’ବେଶ୍‌ ପରିଚିତ।

ଗୋଟିଏ ସପ୍ତାହ ପୂର୍ବରୁ ରୁଷିଆ ସୈନ୍ୟଙ୍କ ବିରୋଧରେ ଯୁଦ୍ଧ କରିବା ପାଇଁ ସେ ୟୁକ୍ରେନରେ ପହଞ୍ଚିଛନ୍ତି। ରୟାଲ କାନାଡିୟାନ୍‌ ୨୨ ତମ ରେଜିମେଣ୍ଟର ଭେଟେରାନ ‘ଓ୍ବାଲି’ କହିଛନ୍ତି ଯେ ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡ଼ାମିଅର ଜେଲେନସ୍କି ବିଦେଶୀମାନଙ୍କୁ ରୁଷିଆ ବିରୁଦ୍ଧରେ ଦେଶର ଯୁଦ୍ଧରେ ଯୋଗଦେବାକୁ ଆହ୍ବାନ କରିଥିଲେ, ସେତେବେଳେ ସେ ଅନୁଭବ କରିଥିଲେ ଯେ ତାଙ୍କୁ ଯୁଦ୍ଧରେ ଯୋଗ ଦେବାର ଆବଶ୍ୟକତା ରହିଛି।

ଖବର ଅନୁଯାୟୀ ବୁଧବାର ୟୁକ୍ରେନରେ ପହଞ୍ଚିବା ପରେ ‘ଓ୍ବାଲି’ଦୁଇ ଦିନରେ ରୁଷିଆର ସୈନିକଙ୍କୁ ହତ୍ୟା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ପ୍ରସିଦ୍ଧ ସ୍ନାଇପର କହିଛନ୍ତି, ’ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ମୋତେ ସାହାଯ୍ୟ କରିବାକୁ ପଡିବ କାରଣ ଏଠାରେ ପ୍ରବଳ ବୋମା ମାଡ଼ କରାଯାଇଛି।

ଗୋଟିଏ ଦିନରେ ୪୦ ଜଣଙ୍କୁ ହତ୍ୟା କରିବାର କ୍ଷମତା ଥିବାରୁ ‘ଓ୍ବାଲି’ଦୁନିଆର ସର୍ବୋତ୍ତମ ସ୍ନାଇପର ଭାବରେ ପରିଗଣିତ ହୋଇଥାନ୍ତି। ଅନ୍ୟ ପଟେ, ଜଣେ ଭଲ ସ୍ନାଇପର ହାରାହାରି ଦିନକୁ ୫-୬ ଟାର୍ଗେଟ ଗୁଳି କରିପାରିଥାନ୍ତି। ଜଣେ ଭଲ ସ୍ନାଇପର ଦିନକରେ ୭ ରୁ ୧୦ ଜଣଙ୍କୁ ହତ୍ୟା କରିବାର କ୍ଷମତା ରଖିଥାନ୍ତି।

୪୦ ବର୍ଷ ବୟସ୍କ ଫ୍ରେଞ୍ଚ-କାନାଡିୟ କମ୍ପ୍ୟୁଟର ବୈଜ୍ଞାନିକ ‘ଓ୍ବାଲି’, ୨୦୦୯ରୁ ୨୦୧୧ ମଧ୍ୟରେ ଆଫଗାନିସ୍ତାନ ଯୁଦ୍ଧରେ ଦୁଇଥର କାର୍ଯ୍ୟ କରିଛନ୍ତି। ଆଫଗାନିସ୍ତାନରେ ତାଙ୍କର କାର୍ଯ୍ୟକାଳ ସମୟରେ ତାଙ୍କୁ ‘ଓ୍ବାଲି’ ନାମ ଦିଆଯାଇଥିଲା। ଏହାର ଅର୍ଥ ଆରବୀରେ ରକ୍ଷକ।

Share