ସୁମେରୁରେ ତରଳୁଛି ହିମବାହ

ସୋଚି(ରୁଷିଆ),୨୩।୧୧: ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁମେରୁରେ ବୃହତ୍‌ ହିମବାହ ତରଳିବାରେ ଲାଗିଛି। ଫଳରେ ନୂଆ ଶିପିଂ ରୁଟ୍‌ ଖୋଲିବ। ଭାରତ ମହାସାଗର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଗବେଷକମାନେ ମତ ଦେଇଛନ୍ତି।
ସୋଚିରେ ରୁଷୀୟ କମ୍ପାନୀ ରୋସାତୋମ୍‌ ପକ୍ଷରୁ ଆୟୋଜିତ ଗ୍ଲୋବାଲ ନ୍ୟୁକ୍ଲିୟର ପାଓ୍ବାର ସମ୍ମିଳନୀରେ ପିଲାନିସ୍ଥିତ ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ହୁମାନିଟିଜ୍‌ ଆଣ୍ଡ ସୋସିଆଲ ସାଇନ୍ସେସ୍‌ ବିଭାଗ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ପ୍ରଧାନ କହିଛନ୍ତି, ଯଦି ଉତ୍ତରମେରୁ ତରଳେ ତେବେ ଜାହାଜ ଚଳାଚଳ ପାଇଁ ନୂଆ ବାଟ ଫିଟିବ। ଫଳରେ ଜାହାଜ ଚଳାଚଳ ବାବଦ ଖର୍ଚ୍ଚ ୪୦% କମିଯିବ। ସମ୍ପ୍ରତି ଭାରତ ମହାସାଗରରେ ଟ୍ରାଫିକ୍‌ ହେଉଛି ଏକ ଟ୍ରାଞ୍ଜିଟ୍‌ ରୁଟ୍‌। ଏହି ଜଳପଥ ଦେଇ ଭାରତକୁ ପଣ୍ୟ ସାମଗ୍ରୀ ଆସିଥାଏ। ଭବିଷ୍ୟତରେ ଆର୍କଟିକ୍‌ ପଥ ଖୋଲିଲେ ଭାରତ ଉପରେ କି ପ୍ରଭାବ ପଡ଼ୁଛି ତା’ ଉପରେ ଅନୁଧ୍ୟାନ କରାଯିବା ଉଚିତ। ଭାରତ ସ୍ମାର୍ଟ ପୋର୍ଟ, ଗ୍ରୀନ୍‌ ଶପିଂ ଏବଂ ନେଟ୍‌ ଜିରୋ ଭଳି ନୂଆ ଥିମ୍‌ର ସୁବିଧା ମଧ୍ୟ ନେଇପାରିବ ବୋଲି ପ୍ରଫେସର ପ୍ରଧାନ ପରାମର୍ଶ ଦେଇଛନ୍ତି।

Share