ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର

ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍‌ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ ସାହାରା ମରୂଭୁମି ଅଞ୍ଚଳର ଏଇନ୍‌ ସେଫ୍ରା ସହରର ରାଜରାସ୍ତା ବରଫରେ ଢାଙ୍କି ହୋଇ ଯାଇଛି। ଏହାର ଫଟୋଗ୍ରାଫର କରିମ୍‌ ବୌଚେଟାଟା ଏହି ବିରଳ ଦୃଶ୍ୟକୁ ନିଜ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ସୌଦି ଆରବର ମରୁଭୂମିରେ ରାତିର ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଏହି ଦୃଶ୍ୟକୁ ଦେଖିତ୍ତ୍ତ୍ବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସୋସିଆଲ୍‌ ମିଡ଼ିଆରେ ଏହାର ଫଟୋ ଏବଂ ଭିଡ଼ିଓ ଅପଲୋଡ୍‌ କରାଯାଇଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ସାହାରାର ଏଇନ୍‌ ସେଫ୍ରା ସହର ସମୁଦ୍ର ପତ୍ତନଠାରୁ ୧୦୦୦ମିଟର ଉଚ୍ଚରେ ରହିଛି। ଏହା ଚାରିପଟେ ଆଟଲାସ୍‌ ପର୍ବତ ଶ୍ରେଣୀ ରହିଛି। ମରୁଭୂମିରେ ତୁଷାରପାତ ଯୋଗୁ ୧୫ ହଜାର ବର୍ଷ ପରେ ପୁଣି ଏହି ଅଞ୍ଚଳ ଗଛଲତାରେ ପରିପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। ପ୍ରତିବର୍ଷ ଜାନୁୟାରୀରେ ଏଠାରେ ତାପମାତ୍ରା ବର୍ଷର ଅନ୍ୟ ସମୟ ତୁଳନାରେ ଅପେକ୍ଷାକୃତ କମ୍‌ ରହିଥାଏ। ତେବେ ଚଳିତ ବର୍ଷ ତାପମାତ୍ରା ଗତ ୫୦ ବର୍ଷ ମଧ୍ୟରେ ସର୍ବନିମ୍ନ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share