ଏ ଯାଏଁ ସରିନି ଖରିଫ୍‌ ଧାନ କିଣା, ରବି ଚାଷ ପାଇଁ ଆସିଲାଣି ପାଣି

ଭବାନୀପାଟଣା,୧୧।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀରୁ ଚଳିତ ରବି (ଡାଲୁଅ) ଚାଷ ପାଇଁ ଗତ ୮ ତାରିଖଠୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଏଥିରେ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିପ୍ଟ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ କରାଯାଉଛି। କେନାଲ ମରାମତି ଯୋଗୁ ଗତ ୨ ବର୍ଷ ହେଲା ବନ୍ଦ ରହିଥିବା ଦକ୍ଷିଣ କେନାଲରେ ଚଳିତ ରବି ଚାଷ ସମୟରେ ଜଳ ଯୋଗାଣ କରାଯାଉଛି। ତେବେ ରବି ଚାଷ ପାଇଁ କେନାଲ ପାଣି ପହଞ୍ଚତ୍ଥିବାବେଳେ ଅନ୍ୟପଟେ ଖରିଫ ଧାନ ଏ ଯାଏ ବିକ୍ରି କରି ପାରିନାହାନ୍ତି ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ଓ ଯୋଗାଣ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଚାଷୀଙ୍କ ଟୋକନ ବହୁ ବିଳମ୍ବରେ ଆସିବାରୁ ଧାନ ବିକ୍ରି କରିବା ସେମାନଙ୍କ ପାଇଁ ବିଳମ୍ବିତ ହୋଇଥିଲା। ସେହିପରି ଜିଲାର ଅନେକ ମଣ୍ଡିରେ ଏବେ ମଧ୍ୟ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ତେବେ କେବେ ଧାନ ବିକ୍ରି ହେବ ଓ ସେହି ଟଙ୍କାରେ ରବି ଚାଷ କେବେ କରିବେ ତାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୨୧୯ଟି ମଣ୍ଡିରେ ମଙ୍ଗଳବାର ସୁଦ୍ଧା ୬୭ ହଜାର ୭ଶହ ଚାଷୀଙ୍କ ୩୬ ଲକ୍ଷ ୧୬ ହଜାର ୬୮୯ କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ସୂଚନା ମିଳିଛି। ଠିକ ଭାବେ ମିଲର୍ସ ଆସୁ ନ ଥିବାରୁ ଜୁନାଗଡ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ ଭେଜିପଦର ମଣ୍ଡିରେ ଗତ ଡିସେମ୍ବରରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବା ଚାଷୀଙ୍କ ଧାନ ଉଠାଣ କରାଯାଇ ନ ଥିବା ଜଣାପଡିଛି। ଫଳରେ ଶୀତ କାକରରେ ମଣ୍ଡିରେ ପଡିରହି ଧାନ ବିକ୍ରି ଆଶାରେ ଜଗିରହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏହି ମଣ୍ଡିରେ ଗଚ୍ଛିତ ଧାନ ଉଠାଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।

Share