ଏଯାଏ ପିଲାଙ୍କୁ ମିଳିଲାନି ୟୁନିଫର୍ମ, ଜୋତା: ଆନ୍ଦୋଳନ ଚେତାବନୀ ଦେଲା ଅଭିଭାବକ ସଂଘ

ଭୁବନେଶ୍ୱର,୧୯ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଶିକ୍ଷାବର୍ଷ ଅଧା ହେଲାଣି। ହେଲେ ଏଯାଏ ପିଲାଙ୍କୁ ମିଳିଲା ନାହିଁ ସ୍କୁଲ ୟୁନିଫର୍ମ ଓ ଜୋତା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଓଡ଼ିଶା ଅଭିଭାବକ ମହାସଂଘ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି, ଜୁନ ୧୭ରୁ ଆସି ଅକ୍ଟୋବର ମାସ ସରିବାକୁ ବସିଲାଣି। ଶିକ୍ଷାବର୍ଷର ଅଧା ସମୟ ସାରି ପିଲାମାନେ ଏବର୍ଷର ମାଧ୍ୟମିକ ପରୀକ୍ଷା ଦେଇ ସାରିଲେଣି। ଚିରା ଫଟା ପୋଷାକ ପିନ୍ଧି ସରକାରୀ ସ୍କୁଲରେ ପିଲାମାନେ ପାଠପଢ଼ିବାକୁ ଯାଉଛନ୍ତି। ତେଣୁ ସରକାର ତୁରନ୍ତ ପିଲାଙ୍କୁ ଜୋତା ଓ ୟୁନିଫର୍ମ ଦିଅନ୍ତୁ ବୋଲି ସଂଘ ଦାବି କରିଛି। ସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି, ବିଭାଗ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୋଷାକ ଯୋଗାଣ ପାଇଁ ଚିଠି ଲେଖି ବସି ପଡ଼ିଛି। ଏପର୍ଯ୍ୟନ୍ତ କୌଣସି ତତ୍ପରତା ପ୍ରକାଶ ପାଇନି। ଶିକ୍ଷକଙ୍କୁ କାର୍ଯ୍ୟବ୍ୟସ୍ତ ଓ ଦାୟିତ୍ୱରୁ ମୁକ୍ତକରି ସ୍ବୟଂ ସହାୟକ ଗୋଷ୍ଠୀକୁ ଏ ସଂକ୍ରାନ୍ତରେ ସାମିଲ ପାଇଁ ନିଷ୍ପତ୍ତି ହେଲା। ମାତ୍ର ପୋଷାକ ମିଳିବାକୁ ୫ମାସ ଲାଗିଲାଣି। ପ୍ରାୟତଃ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଅଭିଭାବକ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥାଆନ୍ତି। ତେଣୁ ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ଓ ବେସରକାରୀ ସ୍କୁଲ ପିଲାଙ୍କ ଭଳି ସେମାନଙ୍କୁ ସୁବିଧା ପ୍ରଦାନ ପାଇଁ ଯୋଜନା ହୋଇଥିଲା। ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ପିଲାଙ୍କୁ ଠିକ୍‌ ସମୟରେ ଡ୍ରେସ୍‌ ଦିଆଯିବନି କାହିଁକି? ବର୍ଷ ଶେଷକୁ ଦେଲେ କ’ଣ ଲାଭ ହେବ? ଯଦି ୧୫ ଦିନ ଭିତରେ ପିଲାଙ୍କୁ ଡ୍ରେସ ଓ ଜୋତା ଦିଆ ନ ଯାଏ, ତେବେ ମହାସଂଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ବିଷୋୟୀ କହିଛନ୍ତି।

Share