Posted inଜାତୀୟ

ଜବତ ଏତେ, ଲୁଚିଛି କେତେ

ନୂଆଦିଲ୍ଲୀ,୧୮ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱାବଧାନରେ ସୋମବାର ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ୧,୪୪,୦୦୦ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨,୩୮୧ କୋଟି ଟଙ୍କା ହେବ। ସଦ୍ୟ କାର୍ଯ୍ୟାନୁଷ୍ଠାନ ସହ ଭାରତରେ ବର୍ଷକ ମଧ୍ୟରେ ନଷ୍ଟ କରାଯାଇଥିବା ମୋଟ ଡ୍ରଗ୍ସର ଓଜନ ପ୍ରାୟ ୧୦ ଲକ୍ଷ କେ.ଜି. ଏବଂ ମୂଲ୍ୟ ୧୨,୦୦୦ କୋଟି ଟଙ୍କା ହେବ। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍‌ ନ୍ୟାଶନାଲ ସିକ୍ୟୁରିଟି ଆଞ୍ଚଳିକ ସମ୍ମିଳନୀରେ ସମସ୍ତ ରାଜ୍ୟର ଆଣ୍ଟି-ନାର୍କୋଟିକ୍ସ ଟାକ୍ସ ଫୋର୍ସ (ଏଏନ୍‌ଟିଏଫ୍‌) ସହ ସମନ୍ବୟ ରଖି ଏହାକୁ ନଷ୍ଟ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଜାତୀୟ ରାଜଧାନୀରେ ଏହାକୁ ଭର୍ଚୁଆଲି ନିରୀକ୍ଷଣ କରିଥିଲେ। ଏହି ଅବସରରେ ଶାହା ଡ୍ରଗ୍ସ ସିଣ୍ଡିକେଟ୍‌ଗୁଡ଼ିକ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ଏଥିସହ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ଅନୁରୂପ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସର୍ବାଧିକ ସଚେତନତା ସୃଷ୍ଟି ହେଉଛି ଏହି ଲଢ଼େଇ ଦିଗରେ ସବୁଠୁ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କଠାରେ ସର୍ବାଧିକ ସଚେତନତା ସୃଷ୍ଟି ନ କରିବା ପର୍ଯ୍ୟନ୍ତ ଆମେ ଲଢ଼େଇରେ ଜିତିବା ନାହିଁ ବୋଲି ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଡ୍ରଗ୍ସ ଆତଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସାକରି ଶାହା କହିଛନ୍ତି, ୨୦୦୬ରୁ ୨୦୧୩ ମଧ୍ୟରେ ମୋଟ ୧.୫୨ ଲକ୍ଷ କେ.ଜି. ଡ୍ରଗ୍ସ ଜବତ ହୋଇଥିବାବେଳେ ୧,୨୫୦ ମାମଲା ରୁଜୁ କରାଯାଇଥିଲା। ୨୦୧୪ରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର କ୍ଷମତାକୁ ଆସିବା ପରଠୁ ୨୦୨୩ ପର୍ଯ୍ୟନ୍ତ ୩.୯୪ ଲକ୍ଷ କେ.ଜି. ଡ୍ରଗ୍ସ ଜବତ ସହ ୩,୭୦୦ ମାମଲା ରୁଜୁ କରାଯାଇଛି। ଅର୍ଥାତ୍‌ ମାମଲା ରୁଜୁ ଓ ଡ୍ରଗ୍ସ ଜବତ କ୍ଷେତ୍ରରେ ୧୬୦% ଅଭିବୃଦ୍ଧି ଘଟିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଏତେ ପରିମାଣର ଡ୍ରଗ୍ସ ଜବତ ହୋଇଛି ତେବେ ଆଉ କେତେ ନିଶାସାମଗ୍ରୀ ଦେଶର ବିଭିନ୍ନ ଭାଗରେ ମହଜୁଦ ହୋଇରହିଛି, ଯାହାର ଚାଲାଣକାରୀମାନଙ୍କୁ ମୋଦି ସରକାରଙ୍କ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଧରିପାରୁ ନାହିଁ। ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଅମଳରେ କମ୍‌ ଜବତ ହେବାର ତାତ୍ପର୍ଯ୍ୟ ନୁହେଁ ଯେ, ସେତେବେଳର ଧରପଗଡ଼କାରୀ ସଂସ୍ଥାଗୁଡ଼ିକ ଦୁର୍ବଳ ଥିଲେ ଏବଂ ମୋଦି ସରକାର ଆସିବା ପରେ ହଠାତ୍‌ ସମସ୍ତେ ତତ୍ପର ହୋଇ ଉଠିଲେ। ଶାହାଙ୍କ ବକ୍ତବ୍ୟର ଆଉ ଗୋଟିଏ ଦିଗକୁ ଅନୁଧ୍ୟାନକଲେ ମୋଦିଙ୍କ ଏନ୍‌ଡିଏ ଶାସନରେ ଡ୍ରଗ୍ସ କାରବାର ୧୬୦% ବୃଦ୍ଧି ପାଇଥିବା ବୁଝିବା କଷ୍ଟକର ନୁହେଁ। ଇତିମଧ୍ୟରେ ନୂଆଦିଲ୍ଲୀକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୨୩ ଏପ୍ରିଲ ୫ରେ ଭାରତ ୟୁନାଇଟେଡ୍‌ ନେଶନ୍ସ ଷ୍ଟାଟିଷ୍ଟିକାଲ କମିଶନ୍‌ ନାର୍କୋଟିକ୍‌ ଡ୍ରଗ୍ସର ସଦସ୍ୟ ନିର୍ବାଚିତ ହୋଇଛି। ଜାତିସଂଘର ଡ୍ରଗ୍ସ ନିରୋଧୀ ସଂସ୍ଥାରେ ପ୍ରତିନିଧିତ୍ୱ ସୁଯୋଗ ପାଇଥିବା ଭାରତକୁ ନିଷିଦ୍ଧ ନିଶାଦବ୍ୟ ଚାଲାଣ ବିରୋଧରେ ଚାଲିଥିବା ବୈଶ୍ୱିକ ଲଢ଼େଇରେ ସାମିଲ ହେବା ପାଇଁ ଏକ ସୁଯୋଗ ମିଳିଯାଇଛି। ତେଣୁ ଆଗାମୀ ଦିନରେ ଉପା ଅମଳଠାରୁ ୧୬୦% କମ୍‌ ଡ୍ରଗ୍ସ ଜବତ ହେଲେ ମୋଦି ସରକାରଙ୍କ ଶାସନ କାଳରେ ପ୍ରକୃତରେ ଡ୍ରଗ୍ସ ବ୍ୟବହାର ଓ ଚାଲାଣ ହ୍ରାସ ପାଇଛି ବୋଲି ବିବେଚନା କରାଯିବ।
ନଷ୍ଟ କରାଯାଇଥିବା ଡ୍ରଗ୍ସ ମଧ୍ୟରେ ଏନ୍‌ସିବି ହାଇଦ୍ରାବାଦ ୟୁନିଟ୍‌ ପକ୍ଷରୁ ଜବତ କରାଯାଇଥିବା ୬,୫୯୦ କେ.ଜି., ଇନ୍ଦୋର ୟୁନିଟ୍‌ର ୮୨୨ କେ.ଜି. ଓ ଜମ୍ମୁ ୟୁନିଟ୍‌ର ୩୫୬ କେ.ଜି. ରହିଛି। ଏହାବାଦ୍‌ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶରେ ୧,୦୩,୮୮୪ (୧.୦୩ ଲକ୍ଷ) କେ.ଜି., ଆସାମରେ ୧,୪୮୬ କେ.ଜି., ଚଣ୍ଡିଗଡ଼ରେ ୨୨୯ କେ.ଜି.ଗୋଆରେ ୨୫ କେ.ଜି., ଗୁଜରାଟରେ ୪,୨୭୭ କେ.ଜି., ହରିୟାଣାରେ ୨,୪୫୮ କେ.ଜି., ଜମ୍ମୁ-କଶ୍ମୀରରେ ୪,୦୬୯ କେ.ଜି., ମହାରାଷ୍ଟ୍ରରେ ୧୫୯ କେ.ଜି., ତ୍ରିପୁରାରେ ୧,୮୦୩ କେ.ଜି. ଓ ମଧ୍ୟପ୍ରଦେଶରେ ୪,୦୪୯ କେ.ଜି. ଡ୍ରଗ୍ସ ଜବତ ହୋଇଥିଲା। ଏନ୍‌ସିବି ଆଞ୍ଚଳିକ ୟୁନିଟ୍‌ ଓ ରାଜ୍ୟଗୁଡ଼ିକର ଏଏନ୍‌ଟିଏଫ୍‌ ମିଳିତ ଭାବେ ୮,୭୬,୫୫୪ (୮.୭୬ ଲକ୍ଷ) କିଲୋଗ୍ରାମ୍‌ ଡ୍ରଗ୍ସ ଜବତ କରିଛନ୍ତି। ଏହି ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୯,୫୮୦ କୋଟି ଟଙ୍କା ହେବ, ଯାହାକି ଧାର୍ଯ୍ୟ ଟାର୍ଗେଟଠାରୁ ୧୧ ଗୁଣ ଅଧିକ। ୨୦୨୨ ମେ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୧ ଏପ୍ରିଲ ପରଠୁ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ୩,୮୦୦ କେ.ଜି.ର ହେରୋଇନ୍‌ ଜବତ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୨୬,୦୦୦ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri