Categories: ବାଣିଜ୍ୟ

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ଗବେଷକ

ଭୁବନେଶ୍ୱର,୭।୧୦: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ୨୨ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨% ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି। ଏପରିକି ୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ଜଣ ଗବେଷକ ଉକ୍ତ ତାଲିକାରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଗତ ୩ବର୍ଷ ଧରି ସୋଆର ୯ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡ.) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି ତଥା ବର୍ତ୍ତମାନର ପ୍ରମୁଖ ଉପଦେଷ୍ଟା (ସ୍ବାସ୍ଥ୍ୟ ବିଜ୍ଞାନ), ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡ଼ା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ,ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡ. ମନୋଜ କୁମାର ନାୟକ ଏବଂ ଡ. ସତ୍ୟରଞ୍ଜନ ମିଶ୍ର ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୨ ତାଲିକାରେ ଅନ୍ତଭୁର୍କ୍ତ ଥାଇ ୨୦୨୩ର ଏହି ସମ୍ମାନଜନକ ତାଲିକାରେ ପୁଣି ସାମିଲ ହୋଇଥିବା ଗବେଷକମାନେ ହେଲେ ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ଡ. ମନୋହର ମିଶ୍ର, ଡ. ସୁଲଗ୍ନା ପଟ୍ଟନାୟକ ଓ ଡ. ଦୀପ୍ତିପ୍ରଭା ସାହୁ ସାମିଲ ଅଛନ୍ତି। ତେବେ ପ୍ରଥମ ଥର ପାଇଁ ଏହି ତାଲିକାରେ ସୋଆର ପ୍ରଫେସର ରେଣୁ ଶର୍ମା, ପ୍ରଫେସର ସୌରଭ ପଣ୍ଡା, ଡା. ଶୁଭଶ୍ରୀ ଚୌଧୁରୀ, ଡା. ଶେଷଦେବ ସାହୁ, ଡା. ମୃତ୍ୟୁଞ୍ଜୟ ସାହାଣୀ, ଡା. ଭିନୀତ କୁମାର ରାୟ ଏବଂ ଡା. ସତ୍ୟବ୍ରତ ସୁବୁଦ୍ଧି ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୨୨ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

Share