ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…

କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଔଷଧ ଅଭାବ ରହିଛି। ଏପରି ପରିସ୍ଥିତିରେ, ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କଠାରୁ ସାହାଯ୍ୟ ନେବାକୁ ଚେଷ୍ଟା କରୁଛନ୍ତି। ସରକାର ଏବଂ ବେସରକାରୀ କ୍ଷେତ୍ର ସହିତ ଅନେକ ଲୋକ ଏହି ବିପଦ ସମୟରେ ଆଗେଇ ଆସି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଅନ୍ୟତମ। ସେ କରୋନା ଆରମ୍ଭରୁ ଲୋକମାନଙ୍କ ସହ ରହିଆସିଛନ୍ତି। ସେମାନଙ୍କୁ ସୁଖ-ଦୁଃଖରେ ଛିଡା ହେଉଛନ୍ତି ସୋନୁ। ଏବେ ସେ ନିଜର ଅସହାୟତା ଏବଂ ଦୁଃଖ ପ୍ରକାଶ କରିଛନ୍ତି। ସେ ରବିବାର ଟୁଇଟର୍‌ରେ ଲେଖିଛନ୍ତି- ଗତକାଲି ୪୧,୬୬୦ ଲୋକ ମୋତେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ, କିନ୍ତୁ ଏହା ଆମ ପାଇଁ ସମ୍ଭବ ନୁହେଁ। ଯଦି ମୁଁ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରେ, ମୋତେ ଏହା କରିବାକୁ ୧୪ ବର୍ଷ ଲାଗିବ। ଏହାର ଅର୍ଥ ହେଉଛି ୨୦୩୫ ସୁଦ୍ଧା ମୁଁ ପ୍ରତ୍ୟେକ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚି ପାରିବି।
କିଛି ଦିନ ପୂର୍ବରୁ ସୋନୁ ସୁଦ ସରକାରଙ୍କୁ ନିବେଦନ କରିଥିଲେ ଯେ କରୋନାରେ ମାତାପାତା ହରାଇଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଅନ୍ତୁ। ସୋନୁ ସୁଦ ଏପ୍ରିଲ ୨୫ରେ ଏକ ଟେଲିଗ୍ରାମ ଆପ ଲଞ୍ଚ କରିଥିଲେ, ଯାହା ମାଧ୍ୟମରେ ସେମାନେ ଦେଶର ଆବଶ୍ୟକ ଡାକ୍ତରଖାନାଗୁଡ଼ିକୁ ଶଯ୍ୟା, ଔଷଧ ଏବଂ ଅମ୍ଳଜାନ ଯୋଗାଇ ଦେବେ। ଗତ ବର୍ଷ କରୋନା ସମୟରେ ଲଗାଯାଇଥିବା ଲକ୍‌ଡାଉନ୍‌ ସମୟରୁ ସେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ସେ ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଆଣିବାରେ ସହଯୋଗ କରିଥିଲେ। ଏହାସହିତ ସେ ଅଭାବୀ ଲୋକଙ୍କର ରୋଜଗାର ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମିତ ହେବା ପରେ ମଧ୍ୟ ସୋନୁ ନିଜେ ଲୋକଙ୍କୁ ସାହାଯ୍ୟ କରୁଥିଲେ।

Share