Categories: ଜାତୀୟ

ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୫।୨ : ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ। ସମାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ କିଭଳି ଚିନ୍ତା କରୁଛି ତାହାକୁ ଜାମିନ୍‌ ବିଚାର କ୍ଷେତ୍ରରେ ପରିସରଭୁକ୍ତ କରାଯିବା ଅନୁଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି।

ବିଚାରପତି ଚନ୍ଦ୍ରଧାରୀ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଜାମିନ୍‌ ମାମଲାର ବିଚାର କରି ଭାରତୀୟ ଦଣ୍ଡ ସଂହିତା ଧାରା ୩୯୨, ୪୧୧ ଏବଂ ୩୪ ଅନ୍ତର୍ଗତ ଅଭିଯୁକ୍ତ ତରନଜିତ୍‌ ସିଂଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି। ବ୍ୟକ୍ତିଗତ ସ୍ବାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ମୌଳିକ ଅଧିକାର। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଅନିବାର୍ଯ୍ୟ ଅଥବା ନୁହେଁ ତାହା ସ୍ଥିରିକୃତ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୧ ନଭେମ୍ବର ୨୪ରେ ଅଭିଯୁକ୍ତଙ୍କ ବିରୋଧରେ ଲୁଟ୍‌ ଅଭିଯୋଗ ହୋଇଥିଲା। ଏଫ୍‌ଆଇଆର୍‌ ରୁଜୁ ହେବାରେ କିଛି ଘର୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୨୧ ନଭେମ୍ବର ୨୫ଠାରୁ ସେ ଜେଲ୍‌ରେ ଅଛନ୍ତି। ୨୦୨୨ ଜାନୁୟାରୀ ୧୫ରେ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା।

ଏହାପରେ ଅଭିଯୁକ୍ତ ତରନଜିତ୍‌ଙ୍କ ପକ୍ଷରୁ ଜାମିନ୍‌ ପାଇଁ ଆବେଦନ କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ଆଇନଜୀବୀ ଅଭିଯୁକ୍ତଙ୍କ ପାଖରୁ ଏକ ପିସ୍ତଲ ଜବତ ହୋଇଥିବା କୁହାଯାଇ ତାଙ୍କୁ ଜାମିନ୍‌ ମିଳିଲେ ସେ ଫେରାର ହୋଇଯିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା। ତେବେ ଖଣ୍ଡପୀଠ ଏଭଳି ଚିନ୍ତାଧାରା ଅନୁଚିତ ବୋଲି ଦର୍ଶାଇ ଜାମିନ୍‌ ମଞ୍ଜୁର କରିଛନ୍ତି।

Share