Categories: ବାଣିଜ୍ୟ

ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ପୁରସ୍କାର

ଭୁବନେଶ୍ୱର,୨।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ କ୍ରୀଡ଼ାକ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ଓ କାର୍ଯ୍ୟ ପାଇଁ ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ-୨୦୨୪ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମାନ ସମାରୋହ ଉତ୍ସବରେ ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଏସିପି ସାଇବର ସେଲ୍‌ (କ୍ରାଇମ୍‌ବ୍ରାଞ୍ଚ) ସନ୍ଦୀପ ମାଲହୋତ୍ରାଙ୍କଠାରୁ ଜେଏସ୍‌ପିର ଗ୍ରୁପ୍‌ ଚିଫ୍‌ ଡିଜିଟାଲ୍‌ ଅଫିସର ଇନ୍ଦ୍ରଦ୍ୟୁମ୍ନ ଦତ୍ତା ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଅପରପକ୍ଷରେ ଜେଏସ୍‌ପିର ଚେୟାରମ୍ୟାନ୍‌ ନବୀନ ଜିନ୍ଦଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଜେଏସ୍‌ପି ତା’ର ସାମାଜିକ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତୀକରଣ କରିବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ରାଜ୍ୟ ତଥା ଦେଶ ପାଇଁ କ୍ରୀଡ଼ା ପଦକ ହାସଲ (ଜିତିବା)ରେ ସକ୍ଷମ କରାଇବା ସହିତ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଆସୁଛି। ଏ ସମ୍ପର୍କରେ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲ କହିଛନ୍ତି, ଲୋକଙ୍କୁ ପ୍ରେରଣା ଯୋଗାଇବା, ସଶକ୍ତୀକରଣ ଏବଂ ଏକଜୁଟ କରିବା ସହିତ କ୍ରୀଡ଼ାର ପ୍ରଭାବି ସମ୍ଭାବନା ଉପରେ ଆମେ ବିଶ୍ୱାସ କରୁ। ଗ୍ରାମାଞ୍ଚଳ ଏବଂ ଆଦିବାସୀବହୁଳ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଭବିଷ୍ୟତର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାରେ ଆମର ପ୍ରୟାସ ଜାରି ରଖିବାକୁ ଏହି ପୁରସ୍କାର ଆମକୁ ଅଧିକ ପ୍ରେରଣା ଯୋଗାଇବ। ଏହି ସମ୍ମାନ ପାଇଁ ସେ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share