ସୋସିଆଲ ମିଡିଆ ଓ ଅବସାଦ

ସୋସିଆଲ ମିଡିଆ ସହ ଜଡ଼ିତ ରହିବା କେବଳ ଯୁବପିଢ଼ି ନୁହନ୍ତି, ଅନେକ ବୟସ୍କ ବ୍ୟକ୍ତିଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ତେବେ ଆବଶ୍ୟକତାଠାରୁ ଅଧିକ ସମୟ ସୋସିଆଲ ମିଡିଆ ସହ ଜଡ଼ିତ ରହିଲେ ତାହା ଅବସାଦର କାରଣ ସାଜିପାରେ। ଏକ ସଦ୍ୟତମ ସର୍ଭେରୁ ଏପରି ବିଷୟରେ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଜାଣିପାରିଛନ୍ତି। ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସୋସିଆଲ ମିଡିଆରେ ଘୂରୁଥିବା ବିଭିନ୍ନ ପ୍ରକାର ଖବର ଆମ ମାନସିକତାକୁ ପ୍ରଭାବିତ କରିଥାଏ। କେତେକ ଏପରି ଖବରକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ସମୟକ୍ରମେ ଏହା ଅବସାଦଜନିତ ସମସ୍ୟାର କାରଣ ସାଜିଥାଏ। କେତେକ ବ୍ୟକ୍ତି ସୋସିଆଲ ମିଡିଆରେ ନକାରାତ୍ମକ ଖବର ପଢ଼ିବାକୁ ପସନ୍ଦ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଏ। ଏହାଦ୍ୱାରା ସେମାନଙ୍କଠାରେ ହରମୋନରେ ଅସନ୍ତୁଳନ, ଅନିଦ୍ରା ସମସ୍ୟା ଦେଖାଦେଇଥାଏ। ତେଣୁ ସେମାନେ ଏପରି ମାନସିକତାର ପରିବର୍ତ୍ତନ କରିବା ଦରକାର। ନ ହେଲେ ଏହାଦ୍ୱାରା ସେମାନଙ୍କର ଜୀବନଶୈଳୀ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।