ମୁମ୍ବାଇ, ୧୭।୧୧: ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ନେଇ ସୋସିଆଲ ମିଡିଆରେ କେତେକ ମିଛ ଖବର ପ୍ରସାରିତ ହୋଇଥିଲା। ଏହାକୁ ନେଇ ଗତ ୧୨ ତାରିଖରେ ମହାରାଷ୍ଟ୍ରର ଅମରାବତୀ, ମାଲେଗାଁଓ ଏବଂ ନାଣ୍ଡେଡ୍ ସହରରେ ହିଂସାକାଣ୍ଡ ଘଟିଥିଲା। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ରାଲି ବେଳେ ଟେକାମାଡ଼ରେ ଅନେକ ପୋଲିସ ଆହତ ହୋଇଥିଲେ। ଅମରାବତୀରେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ବହୁ ଘରୋଇ ସମ୍ପତ୍ତି ନଷ୍ଟ କରିଥିଲେ। ହିଂସାକାଣ୍ଡ ପାଇଁ ମହାରାଷ୍ଟ୍ର ପୋଲିସର ସାଇବର ସେଲ୍ ବିଭାଗ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମିଛ ଖବରକୁ ଦାୟୀ କରିଛି। ଟୁଇଟରରେ ୨୫ଟି, ଫେସ୍ବୁକ୍ରେ ୬ ଏବଂ ଇନ୍ଷ୍ଟାଗ୍ରାମରେ ୫ଟି ମିଛ ଖବର ପ୍ରସାରିତ ହୋଇଥିବା ବିଭାଗ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।