ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ

କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ ଜୀବନ ଯାଇଛି। କୋଟି କୋଟି ଲୋକ ସଂକ୍ରମିତ ହୋଇ ଯନ୍ତ୍ରଣା ଭୋଗିଛନ୍ତି। ପ୍ରତି ମୁହୂର୍ତ୍ତରେ କେହି ନା କେହି ଆତ୍ମୀୟସ୍ବଜନ ପୀଡ଼ିତ ହେବାର କିମ୍ବା ଚାଲିଯିବାର ଖବର ଆମ ପାଖରେ ପହଞ୍ଚତ୍ଛି। ମଣିଷ ଏବେ ଯେମିତି ଗୋଟିଏ ଆଶଙ୍କାର ବଳୟ ଭିତରେ ଗଣି ଗଣି ନିଃଶ୍ୱାସ ନେଉଛି। ପରିସ୍ଥିତି ଏମିତି ହୋଇଛି ଯେ, ମଣିଷ ଆଜିର ଦିନଟିକୁ ବଞ୍ଚତ୍ୟିବାକୁ ହିଁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ଭାବୁଛି।
ମଣିଷର ଏହି ଦୁଃଖ, ଦୈନ୍ୟ ଏବଂ ଯନ୍ତ୍ରଣାର କାହାଣୀ ବି ଦୈନିକ ରାଶି ରାଶି ହୋଇ ଲେଖା ହେଉଛି। ଖବରକାଗଜ ପୃଷ୍ଠା ଓଲଟାଇଲେ ଯନ୍ତ୍ରଣାର ଚିତ୍ର ସବୁ ଶବ୍ଦ ମାଧ୍ୟମରେ ଉକୁଟି ଆସୁଛି। ଟେଲିଭିଜନ ପୃଷ୍ଠାରେ ବି ସେଇ ଏକା କଥା। କରୋନା ବିରୋଧରେ ମଣିଷର ସଂଘର୍ଷର କାହାଣୀ ଦେଖି ଆଖିରୁ ଲୁହ ନିଗିଡି ଆସୁଛି। ପ୍ରକୃତିର କୋପ ଆଗରେ ମଣିଷ ସତରେ ଅସହାୟ, ପ୍ରକୃତିଗତ ବିଭୀଷିକା ଆଗରେ ମଣିଷର ପ୍ରସ୍ତୁତିଯେ କେତେ ନୂ୍ୟନ, ତାହା ବାରବାର ପ୍ରମାଣିତ ହୋଇଛି। ଏହି ମର୍ମରେ ଏତେ ଲେଖାଯାଇଛି ଆଉ ଏତେ ଦେଖାଯାଇଛି ଯେ, ବୋଧହୁଏ କରୋନାକୁ ନେଇ ଆଉ ବିଶେଷ କିଛି ଲେଖାହେବାର କିମ୍ବା ଦେଖାହେବାର ଆବଶ୍ୟକତା ନାହିଁ ଏକଥା ଜଣେ ଲେଖକର ପ୍ରଥମ ଅନୁଭବ ହେବ।
ତେବେ ଟିକିଏ ନିରେଖି ଦେଖିଲେ ତଥାପି କରୋନାର ଗୋଟିଏ ଦିଗ ଉପରେ ସବୁଠାରୁ କମ୍‌ ଲେଖା ହୋଇଛି ବୋଲି ଯେ କେହି ସ୍ବୀକାର କରିବ। ସେ ଦିଗଟି ହେଉଛି କରୋନାକୁ ନେଇ ସାମାଜିକ ବାଛନ୍ଦ। କାଳର କରାଳଗତିରେ କରୋନାର ପ୍ରକୋପ ଯେତେ ଯେତେ ବଢ଼ି ବଢ଼ି ଚାଲିଛି, କରୋନାକୁ ନେଇ ସାମାଜିକ ବାଛନ୍ଦ ବି ସେତିକି ବଢ଼ି ବଢ଼ି ଚାଲିଛି। ଅଥଚ ଏ ନେଇ କେହି ବିବ୍ରତ ହେବା ପରି ଲାଗୁନାହିଁ। ଅବଶ୍ୟ ସାରା ଦେଶରେ ଯେଉଁଠି ରୋଗୀମାନେ ଭେଣ୍ଟିଲେଟର, ଅକ୍ସିଜେନ୍‌ ଆଉ ବେଡ୍‌ ପାଇଁ ସଂଘର୍ଷ କରୁଛନ୍ତି, ସେଠି କରୋନାଜନିତ ସାମାଜିକ ବାଛନ୍ଦର ପ୍ରଶ୍ନ କିଏ ଉଠାଇବ, କାହିଁକି ବା ଉଠାଇବ?
ତେବେ କରୋନାଜନିତ ସାମାଜିକ ବାଛନ୍ଦକୁ ଅସ୍ବୀକାର କରାଯାଇପାରିବ ନାହିଁ। ସାଧାରଣତଃ ସାମାଜିକ ବାଛନ୍ଦ ଏକ ବିଯୁକ୍ତାତ୍ମକ ମାନସିକତା, ଯାହା ଗୋଟିଏ ଗୋଷ୍ଠୀ ସହ ରୋଗକୁ ଯୋଡ଼ି ଆରମ୍ଭ କରାଯାଇଥାଏ। ସାଧାରଣତଃ ସମାଜର ଏକ ବଳିଷ୍ଠ, କ୍ଷମତାଶାଳୀ ଏବଂ ପ୍ରଭାବୀବର୍ଗ ନିଜ ସ୍ଥାନକୁ ସୁରକ୍ଷିତ ରଖିବାକୁ ଯାଇ ସମାଜର ଗରିବ ଦଳିତ ଏବଂ ନିଷ୍ପେଷିତ ଗୋଷ୍ଠୀ ସହ ଗୋଟିଏ ରୋଗକୁ ଯୋଡ଼ି ଦେଇଥାଆନ୍ତି। ଏହା ଏପରି ହୋଇଥାଏ, ସତେ ଯେପରି ସେହି ବଞ୍ଚତ୍ତ ଗୋଷ୍ଠୀ ଯୋଗଁୁ ହିଁ ରୋଗର ଆରମ୍ଭ ଏବଂ ବିସ୍ତାର ହୋଇ ଚାଲିଛି। ସେହି ଗୋଷ୍ଠୀଟି ରୋଗରେ ପଡିଥିବାର ଦେଖିଲେ ଲୋକ ତାଙ୍କୁ ସାହାଯ୍ୟ କରିବା ତ ଦୂରର କଥା, ବରଂ ତାଙ୍କ ଉପରେ ଏପରି କଟକଣା ସବୁ ଲାଗୁ କରନ୍ତି ଯେ ସେ ଗୋଷ୍ଠୀ ସାହାଯ୍ୟ ପାଇବା ତ ଦୂରର କଥା ବରଂ ବିନା ଚିକିତ୍ସାରେ ସେଠାରେ ଯନ୍ତ୍ରଣା ଏପରିକି ମୃତ୍ୟୁ ମଧ୍ୟ ଭୋଗ କରନ୍ତି। ସଂଖ୍ୟାଲଘୁ, ଦଳିତ, ବିଧବା ମହିଳା, ଶିଶୁ, ଏକୁଟିଆ ରହୁଥିବା ମହିଳା ତଥା ସ୍ବଳ୍ପ ଭୂମିହୀନମାନେ ଏହି ବାଛନ୍ଦର ଶିକାର ହୁଅନ୍ତି। ଅନେକ ସମୟରେ ଆମ ସାମାଜିକ ଏବଂ ରାଜନୈତିକ ବିଧିବ୍ୟବସ୍ଥା ଏହି ବାଛନ୍ଦ ବ୍ୟବସ୍ଥାରେ ନିଆଁରେ ଘିଅ ଢାଳିବା ପରି କାମ କରିଥାଏ। କିଛି ଉଦାହରଣ ଦେଲେ ଏହି ବାଛନ୍ଦକୁ ଭଲ ଭାବେ ବୁଝିହେବ।
କରୋନାର ପ୍ରଥମ ଲହର ସମୟରେ ଚାଇନାଫେରନ୍ତା ଲୋକଙ୍କୁ ଭାରତରେ ଘୃଣା କରାଯାଉଥିବାବେଳେ, ସୁରଟଫେରନ୍ତା ଲୋକଙ୍କୁ ଓଡ଼ିଶାରେ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥିଲା। ସେହିପରି ସହରରୁ ଗାଁକୁ ଯାଉଥିବା ସବୁ ଲୋକ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା। ରୋଗକୁ ନେଇ ସାମାଜିକ ବାଛନ୍ଦର ଭାବ ଏତେ ତୀବ୍ରଥିଲା ଯେ, ଏଥିରେ ଡାକ୍ତର ଏବଂ ଛାମୁଆ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ବାଛନ୍ଦର ଶିକାର ହୋଇଥିଲେ। ନୂଆଦିଲ୍ଲୀ ପରି ସହରରେ ଡାକ୍ତରମାନଙ୍କୁ ବିରୋଧ କରାଯାଇଥିଲା। ସ୍ବାସ୍ଥ୍ୟସେବା ସାରି ଘରକୁ ଫେରୁଥିବା ଡାକ୍ତରମାନଙ୍କୁ କେଉଁଠି ଆପାର୍ଟମେଣ୍ଟରେ ପଶିବାକୁ ବାରଣ କରାଯାଉଥିଲା ତ ଆଉ କେଉଁଠି ସେମାନଙ୍କୁ ଭଡ଼ାଘର ଖାଲି କରିବାକୁ ମାଲିକମାନେ ତାଗିଦ କରୁଥିଲେ। କରୋନାକୁ ଭଲ ଭାବେ ବୁଝି ନ ପାରିବା, ମିଥ୍ୟା ତଥ୍ୟ, ଜାଲି ଖବର ଏହି ସାମାଜିକ ବାଛନ୍ଦର ମୂଳପିଣ୍ଡ ପାଲଟେ।
ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ସଙ୍ଗେ ସଙ୍ଗେ ବାଛନ୍ଦର ନୂଆ ସ୍ବରୂପ ସବୁ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଆରମ୍ଭ କଲେଣି। ଆପାର୍ଟମେଣ୍ଟର ନୋଟିସ୍‌ ବୋର୍ଡରେ ମାଳୀ, ରୋଷେଇଆ, ଘରୋଇ ସହାୟକମାନଙ୍କୁ ଆସିବାକୁ ମନା କରାଗଲାଣି। କରୋନା ଯେ ଧର୍ମ, ଲିଙ୍ଗ କିମ୍ବା ସାମାଜିକ ପ୍ରତିପତ୍ତିକୁ ଦେଖି ସଂକ୍ରମଣ କରେ ନାହିଁ, ଏକଥା ଏହି ପାଠୁଆ ଅଥଚ ଅବିବେକୀ ଲୋକ ବୁଝିବାକୁ ନାରାଜ। ଦୁଃଖର କଥା ଏଇଆ ଯେ, ପାଠ ପଢ଼ିଥିବା ଲୋକ ହିଁ ଏହିସବୁ ବାଛନ୍ଦ ବ୍ୟବସ୍ଥାର ସୂତ୍ରଧର ସାଜିଛନ୍ତି। ରୋଗ ଯେ ଗରିବ, ସଂଖ୍ୟାଲଘୁ, ଦଳିତ ଏବଂ ଦିନ ମଜୁରିଆଙ୍କ ଦ୍ୱାରା ବ୍ୟାପେ, ଏ ଉକ୍ତିର ଅନ୍ଧ ସମର୍ଥକଙ୍କ ସଂଖ୍ୟା ବି ପ୍ରବଳ। ସରକାରଙ୍କର ବାଛନ୍ଦକୁ ଏଡ଼ାଇବାକୁ ସମସ୍ତ ସଚେତନତା ଏମାନଙ୍କ ପାଇଁ କାଲା ଆଗରେ ମୂଳା ଚୋବାଇବା ପରି। ହୁଏତ ଏମାନେ କରୋନାରେ ସଂକ୍ରମିତ ନ ହୋଇ ପାରନ୍ତି, କିନ୍ତୁ ଅବିବେକିତା ଏବଂ ଅମାନବିକତାର ଦଂଶନରେ ବେଶ୍‌ ସଂକ୍ରମିତ।
କରୋନା ପରି ମହାମାରୀକୁ ହରାଇବାକୁ ହେଲେ ମଣିଷ ସମାଜକୁ ଏକାଠି ହେବାକୁ ପଡ଼ିବ। ରୋଗ ଭିତ୍ତିରେ ବାଛନ୍ଦ ବ୍ୟବସ୍ଥାକୁ ହଟାଇବାକୁ ପଡିବ। ଯେ ଯାଏ ଆମେ କରୋନା ବିରୋଧରେ ନ ଲଢ଼ି ଲୋକଙ୍କ ବିରୋଧରେ ଲଢ଼ୁଥିବା, ସେଯାଏ କରୋନା ଅଟ୍ଟହାସ୍ୟ କରି ଚାଲିଥିବ, ଆଉ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲୁଥିବ। କରୋନା ବିରୋଧରେ ମଣିଷର ଲଢ଼େଇ କେବେ ଶେଷ ହେବ କେହି ଜାଣେନା। କିନ୍ତୁ ଏ ଲଢ଼େଇର ଆରମ୍ଭ ସାମାଜିକ ବାଛନ୍ଦ ବିରୋଧରେ ଆରମ୍ଭ କରାଗଲେ କ୍ଷତି କ’ଣ?
ଧବଳଗିରି, ଯାଜପୁର ରୋଡ
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri