ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତରେ ସାମାଜିକ ବାସନ୍ଦ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମର ସଭାପତି ପୁରୁଷୋତ୍ତମ ରେଡ୍ଡୀଙ୍କୁ ସାମାଜିକ ବାସନ୍ଦ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ନେଇ ପ୍ରୟାସ କରାଯାଇଛି। ଉକ୍ତ ଗ୍ରାମରେ ସଭାପତିଙ୍କ ବିରୋଧରେ କୋଠ ସମ୍ପତ୍ତି ହଡ଼ପ ଆରୋପ ଲଗାଇବା ଏବଂ ଲକ୍ଷାଧିକ ଅର୍ଥ ଜରିମାନା ଅନାଦେୟକୁ ନେଇ ଗ୍ରାମବାସୀ ସଭାପତିଙ୍କୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସଭାପତି ପୋଲିସରେ ଗ୍ରାମର ୧୪ ଜଣ ବ୍ୟକ୍ତି ନାମରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ କେସ୍ ରୁଜୁ କରାଯିବା ସହ ଗ୍ରାମରେ ପୋଲିସ ପକ୍ଷରୁ ଉଭୟ ପକ୍ଷକୁ ଏହାର ସମାଧାନ ନେଇ ଗ୍ରାମରେ ବୈଠକ କରାଯାଇଛି। ହେଲେ ସମାଧାନର ବାଟ ଫିଟିନି। ଆଗକୁ ମଧ୍ୟ ଏହାର ସ୍ଥାୟୀ ସମାଧାନ ନେଇ ଗ୍ରାମରେ ପୁଣି ଥରେ ବୈଠକ କରାଯାଇ ଏହାର ସମାଧାନ ପ୍ରୟାସ କରାଯିବ ବୋଲି ଗଞ୍ଜାମ ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।