ବାଲେଶ୍ୱର ଅଫିସ, ୨୭ା୧୦: ଲୋକଙ୍କ ସେବା କରିବାକୁ ଛୋଟବେଳୁ ଆଗ୍ରହ ଥିଲା। ହେଲେ ସଂସାର ଦାୟିତ୍ୱ ମଧ୍ୟରେ ସେସବୁ କରିବା ସମ୍ଭବ ହୋଇ ନ ଥିଲା। ସେ ଚାକିରି ଜୀବନରୁ ଅବସର ନେବା ମାତ୍ରେ ପରିବାରର ଦାୟିତ୍ୱ ବୋହୂ ପୁଅ ହାତରେ ଟେକି ଦେଇ ନିଜ ଇଚ୍ଛାକୁ ସମ୍ମାନ ଦେବାକୁ ବାହାରି ପଡ଼ିଛନ୍ତି ବାଲେଶ୍ୱର ଜିଲା କୁରୁଡ଼ା ଅଞ୍ଚଳର ୬୩ବର୍ଷୀୟ ସନାତନ ସେଠୀ। ସେ ନିଜ ସାଇକେଲ ଧରି ବିଭିନ୍ନ ନଦୀଘାଟକୁ ଯାଇ ବୁଲି ବୁଲି ବଂଶୀ ପକାଉଛନ୍ତି। ସେଥିରେ ମାଛ ପଡ଼ିଲେ ତାହାକୁ ବିକ୍ରି କରି ସମାଜସେବାରେ ଲଗାଇଥାନ୍ତି। ଏହାଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ସନାତନ।
ସହରସ୍ଥିତ ହରିପ୍ଲାଷ୍ଟ କମ୍ପାନୀରେ ସନାତନ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଦୁଇ ପୁଅ ଅଛନ୍ତି। ବଡ଼ପୁଅ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ଅବିବାହିତ ଅଛନ୍ତି। ସାନପୁଅ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ବିବାହ ହୋଇଛି। କେଉଁ ନଦୀ ଓ କେଉଁ ମୁହାଣରେ ମାଛ ଲାଗୁଛନ୍ତି ଖବର ପାଇବା ମାତ୍ରେ ସେ ବଂଶୀ ଧରି ଛୁଟିଯାନ୍ତି। ଭୋର୍ ୪ଟାରୁ ପହଞ୍ଚି ଯାଆନ୍ତି ନଦୀ ପାଖରେ। ମାଛ ପଡ଼ିଲେ କଟିଯାଏ ଦିନ ସାରା, ନ ପଡ଼ିଲେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରନ୍ତି। ଏଥିରେ ସେ କ୍ଲାନ୍ତି ଅନୁଭବ କରି ନ ଥାନ୍ତି। ସହର ନିକଟସ୍ଥ ଫୁଲାଡ଼ି ଲୁହାପୋଲ ତଳେ ବୁଢ଼ାବଳଙ୍ଗ ନଦୀରେ ସନାତନ ବଂଶୀ ପକାଇବାକୁ ଯାଇଥାନ୍ତି। ଏଥିସହିତ ବେଲବାରିଆ, କଣ୍ଟାବଣିଆ, ଦାଣ୍ଡଫୁଲାଡ଼ି ଅଞ୍ଚଳରେ ମଧ୍ୟ ସେ ବଂଶୀ ପକାନ୍ତି। ତାଙ୍କ ନିକଟରେ ୧୮ଶହ ଟଙ୍କିଆ ୬ଟି ବଂଶୀ ରହିଛି। ପାଉଁରୁଟି, ହାଣ୍ଡିଆମରା, କାଈ ଅଣ୍ଡା ଏସୁବୁକୁ ମିଶ୍ରଣ କରି ମାଛ ଧରିବା ପାଇଁ ଆବଶ୍ୟକ ଥିବା ଚାରା ପ୍ରସ୍ତୁତ କରି ବଂଶୀ କଣ୍ଟାରେ ଗୁନ୍ଥିଥାନ୍ତି। ସେହିପରି ମାଛଗୁଡିକୁ ଆକର୍ଷିତ କରିବା ଲାଗି ମକା ଗୁଣ୍ଡ, ଅଙ୍ଗନୱାଡ଼ି ଖାଦ୍ୟ, ବୁଟଛତୁ, ହାଣ୍ଡିଆ ମରାକୁ ମିଶ୍ରଣ କରାଯାଇ ବଡ଼ ବଡ଼ ଲଡୁ ତିଆରି ହୁଏ। ଯାହା ବଂଶୀକଣ୍ଟାର ଚାରିପାଖରେ ଲଗାଯାଇଥାଏ। ଏସବୁକୁ ପ୍ରସ୍ତୁତ କରିବା ପାଇଁ ୪ରୁ ୫ ଶହ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଖାଦ୍ୟକୁ ଖାଇବା ପାଇଁ ନଦୀ ଭିତରେ ଥିବା ବଡ଼ ବଡ଼ ରୋହି, ମିଢ଼, ଭାକୁଡ଼ିଆ ମାଛ (ଯାହାର ଓଜନ ପ୍ରାୟ ୫/୬ କିଲୋରୁ ଊର୍ଦ୍ଧ୍ୱ) ଭଲ ପାଇଥାନ୍ତି। ଦିନକୁ ୮/୧୦ଟା ପର୍ଯ୍ୟନ୍ତ ମାଛ ବଂଶୀରେ ପଡ଼ିଥାନ୍ତି। ନଦୀଘାଟରୁ ମାଛକୁ ଲୋକେ କିଣିନିଅନ୍ତି। ବେଳେବେଳେ ବଜାରରେ ମଧ୍ୟ କେଜି ୨ଶହ ଟଙ୍କାରେ ବିକ୍ରି କରିଥାନ୍ତି। ମାଛ ଧରିବା ପାଇଁ ସନାତନ ସାଙ୍ଗରେ ସକାଳ ଜଳଖିଆ ପାଇଁ ମୁଢ଼ି, ଦ୍ୱିପ୍ରହର ପାଇଁ ପଖାଳ, ତରକାରୀ ଓ ପାଣି ସାଥିରେ ନେଇ ଘରୁ ବାହାରନ୍ତି। ମାସରେ ୫ରୁ ୬ଦିନ ନିଶ୍ଚିତ ଭବେ ଭଲ ମାଛ ବଂଶୀରେ ପଡ଼ିଥାନ୍ତି। ନଦୀରେ ବଂଶୀ ପକାଇବା ପାଇଁ କିଛି ଦେୟ ଦେବାକୁ ପଡ଼େ ନାହଁି। ମାଛ ପଡ଼ିଲେ ଭଲ ଓ ନ ପଡ଼ିଲେ କିଛି ଅସୁବିଧା ହୁଏନାହିଁ ବୋଲି ସନାତନ କୁହନ୍ତି।
ମାନସ ବିଶ୍ୱାଳ