Categories: ଜାତୀୟ

ସିଗାରେଟ ବଟ୍‌ ଯୋଗୁ ମାଟି-ପାଣି ହେଉଛି ପ୍ରଦୂଷିତ, ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଛି…

ନୂଆଦିଲ୍ଲୀ/ଜେନେଭା,୧୪।୩ : ଲୋକେ ସିଗାରେଟ ଟାଣିବା ପରେ ଏହାର ବଟ୍‌କୁ ଏଣେତେଣେ ପିଙ୍ଗି ଦେଉଛନ୍ତି। କିନ୍ତୁ ଏହା ଯୋଗୁ ମାଟି ଏବଂ ପାଣି ଉଭୟ ପ୍ରଦୂଷିତ ହେଉଛି। ଏହା ଯୋଗୁ ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଥିବା ନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ସିଗାରେଟ ବଟ୍‌ରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଏକ ମୁଖ୍ୟ କାରଣ ପାଲଟିଥାଏ। ଏଥିରେ ଥିବା ସେଲଲୋଜ୍‌ ଏସିଟେଟ୍‌,ପପର ଏବଂ ରେୟନ ମାଟି ଏବଂ ପାଣିରେ ଜହର ସୃଷ୍ଟି କରିଥାଏ।

ଆମେରିକାର ଏନ୍‌ଜିଓ ଟ୍ରୁଥ୍‌ ଇନସିଏଟିଭ୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁସାରେ ବଟ୍‌ରୁ ସୃଷ୍ଟି ହେଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ଦ୍ୱାରା ମଧୁର ଏବଂ ଲୁଣି ଜଳରେ ଥିବା ୫୦ ପ୍ରତିଶତ ମାଛ ଏବଂ ଅନ୍ୟ ଜଳଜୀବଙ୍କ ମୃତ୍ୟୁର କାରଣ ପାଲଟିଥାଏ।ସିଗାରେଟ ବଟ୍‌ରୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ୨୦୨୦ରେ ଭାରତୀୟ ଜାତୀୟ ସବୁଜ ପ୍ରାଧିକରଣ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାଗି ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାତ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ଏନେଇ କୌଣସି ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ବୋର୍ଡର ନୀରବତାକୁ ଦୃଷ୍ଟିରେ ରଖି ପରିବେଶବିତ୍‌ ନୀରିତ ଦତ୍ତ ଲୋକଙ୍କ ମଧ୍ୟରେ ସାଚେତନତା ସୃଷ୍ଟି ଲାଗି ଏକ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ‘ବଟ୍‌ ରଶ’ ନାମକ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସିଗାରେଟ ବଟ୍‌କୁ ସଂଗ୍ରହ କରାଯାଇ ସେସବୁକୁ ରିସାଇକ୍ଲି କରିବାକୁ ପଠାଯାଇଥାଏ। ‘ବଟ୍‌ ରଶ’ର ଆରମ୍ଭ ୨୦୨୧ରେ କୋଲକାତାରେ ହୋଇଥିଲା। ସୁଫଳ ମିଳିବା ପରେ ଏହାକୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁରେ ମଧ୍ୟ କରାଯାଇଛି।

ଅଭିଯାନରେ ଅଧିକ ସଂଖ୍ୟକ ବଟ୍‌ ହସ୍ପିଟାଲ, କର୍ପୋରେଟ୍‌ କାର୍ଯ୍ୟାଳୟ, କଲେଜ ଏବଂ ପର୍ଯ୍ୟଟନ ସ୍ଥଳରୁ ସଂଗ୍ରହ କରାଯାଉଥିବା ନୀରତ କହିଛନ୍ତି। ସିଗାରେଟ ବଟ୍‌କୁ ଏଣେତେଣେ ନଫିଙ୍ଗି ମଇଳା ଲାଗି ଉଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।

Share