କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ମାଟି ବ୍ୟବହାର କରା ନ ଯାଇ ହାଇଡ୍ରୋପୋନିକ୍ ପ୍ରଣାଳୀରେ କିଭଳି ଫୁଲ, ଫଳ ଓ ପନିପରିବା ଚାଷ କରାଯାଇପାରିବ ସେନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଥିବା ସବୁଜ ଘର ଭିତରେ ଗେଣ୍ଡୁ, ରଜନୀଗନ୍ଧା, ଜାରବେରା, ପିଟୁନିଆ ଆଦି ଫୁଲ ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ କରାଯାଉଛି। ଏଠାରେ ବିନା ମାଟିରେ ଲାଗିଥିବା ଗଛ କେବଳ ପାଣିରେ ବଞ୍ଚିଛି। ଚାରା ମୂଳରେ ନଡ଼ିଆ କତାଗୁଣ୍ଡ ଦେଇ ଏହାକୁ ଏକ ଷ୍ଟାଣ୍ଡ ସାହାଯ୍ୟରେ ପାଣିରେ ରଖାଯାଇଛି। ଗଛ ବଢ଼ିଲେ ଏହାର ଚେର ପାଣିରେ ବଢ଼ିଥାଏ। ବିଶ୍ୱବିଦ୍ୟାଳୟର ୨୫୦ ସ୍କୋୟାର ଫୁଟ ଜାଗାରେ ଏହି ପ୍ରଣାଳୀରେ ୪୦୦ରୁ ଊର୍ଦ୍ଧ୍ୱ ଫୁଲଗଛ ଲାଗିଛି ା ଏ ସମ୍ପର୍କରେ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁ କହିଛନ୍ତି, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା ହାଇଡ୍ରୋପୋନିକ ପ୍ରଣାଳୀର ଏହା ଅଂଶବିଶେଷ। ମାଟିରୁ ମିଳୁଥିବା ପୁଷ୍ଟିସାର କୃତ୍ରିମ ଉପାୟରେ ପାଣି ମାଧ୍ୟମରେ ଏହି ଗଛଗୁଡ଼ିକ ପାଖରେ ପହଞ୍ଚାଯାଉଛି। ଗଛ ବଞ୍ଚିବା ପାଇଁ ଆବଶ୍ୟକ କରୁଥିବା ପିଏଚ୍, ଟିଡିଏସ୍, ଇସି ସ୍ତରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଉଛି। ଏହାଛଡ଼ା ସବୁଜ ଘରର ତାପ ଓ ବାୟୁର ଆର୍ଦ୍ରତା ନିୟନ୍ତ୍ରଣ କରାଯାଇଛି। ଏଥିଯୋଗୁ ଅଧିକ ଉତ୍ପାଦନ ହେଉଛି। ଏହି ପ୍ରଣାଳୀରେ ଫୁଲ ବ୍ୟତୀତ ଫଳ ଓ ପରିବା ଚାଷ ମଧ୍ୟ କରାଯାଇପାରିବ। ହେଲେ ଏଥିରେ ଖର୍ଚ୍ଚ ପରିମାଣ ଅଧିକ ରହୁଥିବାରୁ ଆମ ରାଜ୍ୟର ଚାଷୀମାନେ ଏପରି ଚାଷ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ବିକଶିତ ଦେଶଗୁଡ଼ିକରେ ଚାଷୀମାନେ ଏଭଳି ପ୍ରଣାଳୀରେ ଚାଷ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ଓଡ଼ିଶାରେ ସରକାରୀ ସହାୟତା ଏବଂ ଅଧିକ ପ୍ରୋତ୍ସାହନ ମିଳେ ତା’ହେଲେ ଭାଗଚାଷୀ ଓ ଭୂମିହୀନ ଚାଷୀ ଏଭଳି ପଦ୍ଧତିରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ।