ଅଳକା ଖନନ ଠିକ୍‌ ଭାବେ ହୋଇ ପାରିନାହିଁ: ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୨୩ା୮(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଏକଦା ଲାଇଫଲାଇନ୍‌ କୁହାଯାଉଥିବା ଅଳକା ନଦୀ ଆଜି ମୃତପ୍ରାୟ। ଏହି ନଦୀର ଅନେକ ସ୍ଥାନ ଜବରଦଖଲରେ ଅଛି। ଏହାକୁ ନେଇ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଚିନ୍ତାପ୍ରକଟ କରିଛନ୍ତି। ଏହି ନଦୀକୁ ଜମି ମାଫିଆ ଏବଂ ତତ୍କାଳୀନ ସରକାରଙ୍କ କିଛି ଅସାଧୁ ଅଧିକାରୀ ମିଳିମିଶି କିପରି ଗୋଳମାଳ କରିଛନ୍ତି ସେ ପ୍ରସଙ୍ଗ ଉଠାଇ ଏହାର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେବେ ତା’ଉପରେ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ଗୁରୁବାର ଏହାର ଉତ୍ତର ମିଳିଛି। ଉତ୍ତରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଳକା ଠିକ୍‌ ଭାବେ ଖନନ ହୋଇପାରି ନ ଥିବା ସ୍ବୀକାର କରିଛନ୍ତି। ସେ ଦର୍ଶାଇଛନ୍ତି, ଏହି ବିଭାଗ ଦ୍ୱାରା ଅଳକା ନଦୀର ଉନ୍ନତୀକରଣ ପାଇଁ ୨୦୨୩ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ମାଫିଆମାନଙ୍କଠାରୁ ଅଳକା ନଦୀକୁ ଅବରୋଧମୁକ୍ତ କରିବା ପାଇଁ ଜଗତ୍‌ସିଂହପୁର ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ଏହାପରେ ଆର୍‌ଆଇ ଓ ଅମିନମାନଙ୍କ ଦ୍ୱାରା ମାପ ହୋଇଥିଲା ଏବଂ ପରେ ତହସିଲଦାରଙ୍କ ପରାମର୍ଶକ୍ରମେ ଖନନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁମୋଦିତ ନକ୍ସା ଦ୍ୱାରା ନିର୍ଦ୍ଧାରିତ ପ୍ରସ୍ଥ ଅନୁସାରେ ଅଳକା ଖନନ କାର୍ଯ୍ୟ ହୋଇପାରି ନ ଥିଲା। ତେବେ ଜିଲା ପ୍ରଶାସନ ଉଦ୍ୟମରେ ଅଳକା ନଦୀକୁ ପୂର୍ଣ୍ଣ ଅବରୋଧମୁକ୍ତ କରାଗଲେ ଏହାର ପୁନରୁଦ୍ଧାର ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ଦେବୀ ନଦୀ ଉପରେ ଚାଲିଥିବା ବାଲିଘାଟ ଓ ବାଲି ଚୋରା ଚାଲାଣକୁ ନେଇ ବିଧାୟକ ଦାସ କେତୋଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି ଯେ, ଏହି ନଦୀ ଉପରେ ସରକାରଙ୍କ ତରଫରୁ ମୋଟ ୧୧ଟି ସରକାରୀ ବାଲିଘାଟ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ବାଲି ଚୋରା ଚାଲାଣ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୪୨,୧୩,୪୦୬ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ୨ଟି ପୋଲିସ ମୋକଦ୍ଦମା ରୁଜୁ ହୋଇପାରିଛି। ତେବେ ବାଲି ଘାଟଠାରୁ ନିକଟସ୍ଥ ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ମାଇନିଂ ପ୍ଲାନ ଅନୁସାରେ ଆପ୍ରୋଚ ରୋଡର ପ୍ରାବଧାନ ରହିଛି। ଉଚ୍ଚ ନ୍ୟାୟାଳୟରେ ରୁଜୁ ଡବ୍ଲ୍ୟୁପିସି (ନଂ. ୬୩୭୫/୨୦୨୩) ଉପରେ ବିଚାରପତି ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବାଲି ଗାଡି ରାତି ୯ଟାରୁ ସକାଳ ୭ଟା ଭିତରେ ଚାଲିପାରିବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜିଲାରେ ବେଫିକର ଭାବେ ଦିନ, ରାତି ବାଲି ଚୋରା ଚାଲାଣ ଚାଲିଛି। ବାଲିମାଫିଆ, ଖଣି ବିଭାଗର ଅଧିକାରୀ, ପୋଲିସ ଓ ତହସିଲଦାରଙ୍କ ସଲାସୁତୁରାରେ ଏଭଳି ଚାଲିଥିଲେ ସୁଦ୍ଧା ଅଭିଯୋଗ କଲେ ବି କିଛି ଫଳ ମିଳୁନି। ଏଥିଯୋଗୁ କେବଳ ରାସ୍ତା ଖରାପ ହେଉନି ବରଂ ପ୍ରତ୍ୟହ ଦୁର୍ଘଟଣା ଯୋଗୁ ଅନେକ ଆହତ ହେଉଛନ୍ତି। ମାଫିଆମାନଙ୍କ ଦୌରାତ୍ମ୍ୟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ତେଣୁ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। ନଚେତ ବାଲି ମାଫିଆମାନେ ଅଧିକ ସକ୍ରିୟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share