Advertisement

ସୋଲାର କ୍ରିକେଟ କ୍ଲବ ବିଜେତା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି): ପଞ୍ଚାନନ ଜେନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ରବିବାର ଶେଷ ହୋଇଛି। ସ୍ଥାନୀୟ କେଶୁରା ଖେଳ ପଡ଼ିଆରେ ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂକୁ ୩ ଉଇକେଟରେ ହରାଇ କଟକର ସୋଲାର କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ରାମେଶ୍ୱର ବିଶ୍ୱଜିତ ଭୂୟାଁଙ୍କ ୬୧ ରନ ବଳରେ ୩୯.୨ ଓଭରରେ ୨୧୨ ରନ କରି ସମସ୍ତ ଉଇକେଟ ହରାଇଥିଲା। ସୋଲାର ବୋଲରଙ୍କ ମଧ୍ୟରେ ତାପସ ଦାସ ସର୍ବାଧିକ ୩ଟି ଏବଂ ପ୍ରଦୀପ୍ତ ଦାସ, ପ୍ରୟାସ ସିଂ ଓ ଜୟନ୍ତ ବେହେରା ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସୋଲାର କ୍ଲବ ୩୨.୪ ଓଭରରେ ୭ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରି ନେଇଥିଲା। ଶତକ ହାସଲକାରୀ ଗିରିଜା ରାଉତ ୯୧ ବଲ୍‌ରୁ ୧୦୪ (୧୦ ଚୌକା, ୬ ଛକା)ରେ ଅପରାଜିତ ରହି ଦଳର ବିଜୟକୁ ସହଜ କରି ଦେଇଥିଲେ। ରାମେଶ୍ୱରର ଜଗଦୀଶ ମହାପାତ୍ର ୪ଟି ଓ ପ୍ରତୀକ ସ୍ବାଇଁ ୨ଟି ଉଇକେଟ ନେଇଥିଲେ। ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଚାମ୍ପିୟନ ଦଳକୁ ଟ୍ରଫି ସହ ୩୦,୦୦୦ ଓ ରନରଅପ୍‌କୁ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଆୟୋଜକ ପଞ୍ଚାନନ ଜେନା ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନା, ଉପାଧ୍ୟକ୍ଷ ପ୍ରମୋଦ କୁମାର ଜେନା ଓ କେଶୁରା ଗ୍ରାମର ସଭାପତି ଶୁକଦେବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶରତ ଚନ୍ଦ୍ର ସାହୁ ଓ ଦିଲୀପ ସାମଲ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ସୋଲାର ଦଳର ଗିରିଜା ରାଉତ ମ୍ୟାନ୍‌ ଅଫ୍‌ ଦି ଫାଇନାଲ, ପ୍ରଦୀପ୍ତ ଦାସ ମ୍ୟାନ୍‌ ଅଫ୍‌ ଦି ସିରିଜ ଓ ଶ୍ରେଷ୍ଠ ବ୍ୟାଟର, ତପନ ଦାସ ଶ୍ରେଷ୍ଠ ବୋଲର ଏବଂ ରାମେଶ୍ୱର ସ୍ପୋର୍ଟିଂର ସମ୍ବିତ ବରାଳ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share