ଅର୍ଥନୀତି ବଦଳାଇବ ସୌରଶକ୍ତି: ମୋରିସନ

ଓ୍ବାଶିଂଟନ,୨୫।୯: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି, ସେ ଓ ତାଙ୍କ ଭାରତ ପ୍ରତିପକ୍ଷ ତଥା ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇଛନ୍ତି। ଏହା ମଧ୍ୟରେ ରହିଛି ନିମ୍ନ ଉତ୍ସର୍ଜନ କାରିଗରିରେ ସହଯୋଗିତା ଓ ଅତି କମ୍‌ ମୂଲ୍ୟରେ ସୌର କାର୍ଯ୍ୟକ୍ରମ, ଯାହାକି ଦୁଇଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜଭୁତ କରିବ।
ମୋଦି ଓ ମୋରିସନ୍‌ ଫୋନ୍‌ରେ ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ପ୍ରତିରକ୍ଷା ସହଯୋଗିତା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ନେଇ ସମୀକ୍ଷା କରିବାର ସପ୍ତାହେ ପରେ ଗୁରୁବାର ଓ୍ବାଶିଂଟନରେ ପରସ୍ପରକୁ ଭେଟିଛନ୍ତି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ କ୍ୱାଡ୍ରିଲେଟ୍‌ରାଲ୍‌ ସିକ୍ୟୁରିଟି ଡାଇଲଗ୍‌ ବା କ୍ୱାଡ୍‌ ସମ୍ମିଳନୀ ଅବସରରେ ଏହି ଆଲୋଚନା ହୋଇଛି। ପ୍ରକାଶ ଯେ, ବର୍ତ୍ତମାନ ସୌରଶକ୍ତି ଉତ୍ପାଦନ କାର୍ଯ୍ୟକ୍ରମରେ ଭାରତ ବିଶ୍ୱରେ ଆଗୁଆ ରହିଛି। ଭାରତ ପକ୍ଷରୁ ସ୍ବଚ୍ଛ ରୋଷେଇ ଇନ୍ଧନକୁ ୮୦ ନିୟୁତ ପରିବାରକୁ ବିସ୍ତାର କରାଯାଇଛି।

Share