କାମରେ ଆସୁନି ସୌରଚାଳିତ ଆଲୋକୀକରଣ

ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ। ୧୬ ନମ୍ବର ଜାତୀୟ ରାଜପଥରୁ ମା’ଉଗ୍ରତାରାଙ୍କ ପୀଠକୁ ପ୍ରାୟ ୩ କିଲୋମିଟର ହୋଇଥିବାରୁ ସନ୍ଧ୍ୟା ପରେ ରାସ୍ତା ଅନ୍ଧାର ରହିଥାଏ। ଫଳରେ ମା’ଙ୍କ ପୀଠକୁ ଆସୁଥିବା ଭକ୍ତମାନେ ହଇରାଣ ହୋଇଥାନ୍ତି। ଭକ୍ତମାନେ କିଭଳି ସୁବିଧାରେ ଯାତାୟାତ କରିପାରିବେ ଉକ୍ତ ୩ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ୨୦/୮/୨୦୨୦ ରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ୧୦୦ଟି ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା କରିବା ସହ ଏହାର ଉଦ୍‌ଘାଟନ କରିଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ କେତୋଟି ସୌରଚାଳିତ ଖୁଣ୍ଟକୁ ବାଦ୍‌ ଦେଲେ ଅନ୍ୟ ଖୁଣ୍ଟଗୁଡ଼ିକ ମାଟିରେ ଶୋଇରହିଥିବା ଦେଖିବାକୁ ମିଳିଛି। ଏପରିକି କେତେକ ଖୁଣ୍ଟରେ ଲାଇଟ୍‌ କିମ୍ବା ସୌରଚାଳିତ ପେନାଲ ସିଟ୍‌ ନ ଥିବା ଜଣାପଡ଼ିଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Share