ନୂଆପଡ଼ା,୨୬ା୪ (ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ରଜନା ପଞ୍ଚାୟତ ବେଲଗାଁର ବାଗପଡାଠାରେ ଶୁକ୍ରବାର ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଛି। ରଜନା ସରପଞ୍ଚ ଖିରସିନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋମନା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡେକ ମୁଖ୍ୟ ଅତିଥି, ସମିତି ସଭ୍ୟା ଭୂମିସୂତା ଶଗରିଆ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିରାଲାଲ ସାହୁ, ୱାଟର ଏଡ୍ର ରାଜ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ, ଜିଲା ସଂଯୋଜକ ଅଶୋକ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବେଲଗାଁ ବାଗପଡାର ସମସ୍ତ ନଳକୂଅରେ ଫ୍ଲୋରାଇଡ ପରିମାଣ ଅଧିକ ଥିବାରୁ ତାହା ପିଇବା ଉପଯୋଗୀ ହୋଇ ନ ଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ୱାଟରଏଡ୍ ଇଣ୍ଡିଆ ତରଫରୁ ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପରୁ ପ୍ରତିଦିନ ୪୩ ପରିବାରକୁ ୨୦ ଲିଟର ଲେଖାଏ ପାନୀୟ ଜଳ ବ୍ୟବସ୍ଥା ହେବ। ଏହାକୁ ସୁପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରାମ୍ୟ ଜଳ କମିଟିକୁ ଦାୟିତ୍ୱ ଦିଆଯାଇଛି। ଏହାବ୍ୟତୀତ ମହିଳା ମଞ୍ଚ ଗଠନ କରାଯାଇ ଜଳର ଗୁଣବତ୍ତା ଉପରେ ତାଲିମ ଦିଆଯାଇଛି।


