ସୌରଶକ୍ତିରେ ଚାଲିବ ସାନିଟାଇଜର ମେଶିନ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲାରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଚାଲିଥିବା ସମୟରେ ପାଣିକୋଇଲି ଅଞ୍ଚଳର ଜଣେ ଯୁବଛାତ୍ର ଇଞ୍ଜିନିୟର ଏକ ସ୍ବତନ୍ତ୍ର ସାନିଟାଇଜର ମେଶିନ ଉଦ୍ଭାବନ କରିଛନ୍ତି। ଏହା ସୌରଶକ୍ତି ଦ୍ୱାରା ଚାଲିପାରୁଛି। ଏହାବାଦ ବ୍ୟାଟେରୀ ଓ ବିଦ୍ୟୁତ୍‌ ଶକ୍ତି ଜରିଆରେ ମଧ୍ୟ ଏହି ମେଶିନକୁ ବ୍ୟବହାର କରିହେବ। ଜିଲାର କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ମଣିପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପ୍ରଶାନ୍ତ (୨୧) ସରକାରୀ ଇଞ୍ଜିନିୟରିଂ କଲେଜରେ ବିଟେକ୍‌ ଦ୍ୱିତୀୟ ବର୍ଷର ଛାତ୍ର। ପିଲାଟି ଦିନରୁ କିଛି ନୂଆ କରିବାର ଅଭିଳାସ ରଖିଥିଲେ ପ୍ରଶାନ୍ତ। କରୋନା ପାଇଁ କଲେଜ ବନ୍ଦ ଥିବାରୁ ସେ ୫ ମାସ ହେଲା ଘରେ ରହୁଛନ୍ତି। ସେ କିଛିଦିନ ତଳେ ବଜାରକୁ ଯାଇଥିବା ବେଳେ ଦୋକାନୀ ରଖିଥିବା ସାନିଟାଇଜରକୁ ସମସ୍ତ ଗ୍ରାହକ ଛୁଇଁ ବ୍ୟବହାର କରୁଥିବା ଦେଖିଥିଲେ, ଯାହା ତାଙ୍କୁ ବ୍ୟଥିତ କରିଥିଲା। ସେଠାକୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରୁ ଜଣେ ଯଦି ଆକ୍ରାନ୍ତ ହୋଇଥାନ୍ତି, ତାହେଲେ ଅନ୍ୟମାନେ ସଂକ୍ରମିତ ହେବାର ଭୟ ରହିଛି। ତେଣୁ ସେ ଚିନ୍ତା କରିଥିଲେ ଏଭଳି ଏକ ମେଶିନ ନିର୍ମାଣ କରିବେ, ଯାହାଦ୍ୱାରା ସାନିଟାଇଜରକୁ ନ ଛୁଇଁ ମଧ୍ୟ ବ୍ୟବହାର କରାଯାଇପାରିବ। କରୋନା ମୁକାବିଲା ପାଇଁ ସାନିଟାଇଜର ଏକ ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ସୌରଚାଳିତ ଏହି ମେଶିନ ସାଧାରଣ ଲୋକଙ୍କ ପାଇଁ ଉପକାରୀ ହୋଇପାରିବ ବୋଲି ପ୍ରଶାନ୍ତ କହିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ଏହି ମେଶିନ ଭ୍ରାମ୍ୟମାଣ ହୋଇଥିବା ବେଳେ ଏହାର ଆକାରକୁ ମଧ୍ୟ ଛୋଟ ବଡ଼ କରାଯାଇପାରିବ। ଏଟିଏମ୍‌ ମେଶିନରେ କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଆଗାମୀ ଦିନରେ ଏଟିମ୍‌ରୁ ବାହାରୁଥିବା ଟଙ୍କାକୁ ମଧ୍ୟ ଏହି ମେଶିନ ବ୍ୟବହାର କରି ସାନିଟାଇଜ କରାଯାଇ ଗ୍ରାହକଙ୍କୁ ଦିଆଯାଇପାରିବ ବୋଲି ପ୍ରଶାନ୍ତ ଦାବି କରିଛନ୍ତି। ଜଣେ ଟେଲର ଦୋକାନୀ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅଙ୍କ ଏଭଳି ଉଦ୍ଭାବନକୁ ଦେଖିବାକୁ ଆଖପାଖ ଲୋକଙ୍କ ଭିଡ ଜମୁଛି। ପୁଅକୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପ୍ରୋତ୍ସାହନ ଦେଲେ ସେ ଆହୁରି କୃତିତ୍ୱ ଅର୍ଜନ କରି ଦେଶକୁ ଗୌରବାନ୍ବିତ କରିବ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି।