କାମରେ ଆସୁନି ସୋଲାର ଚାଳିତ ନଳକୂପ, ବର୍ଷାଦିନରେ ବି ଜଳକଷ୍ଟ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଆଡ଼କି ଗ୍ରାମରେ ପିଇବା ପାଇଁ ପାଣିର ଅଭାବ ଦେଖା ଯାଇଛି। ଏବେ ଲଘୁଚାପ ଜନିତ ବର୍ଷାରେ ସବୁଠାରୁ ଅଧିକ କଷ୍ଟ ଦେଖାଯାଇଛି। ଗ୍ରାମରେ ଶୁଦ୍ଧ ପାନୀୟଜଳ ପାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ କ୍ରମେ ୩ ଲକ୍ଷ ଅନୁଦାନରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ପଞ୍ଚାୟତକୁ ନିର୍ଦ୍ଦେଶ ରହିଥିଲା। ପଞ୍ଚାୟତ ଆଡ଼କିରେ ଥିବା ଏକ ନଳକୂଅରେ ସୋଲାର ବ୍ୟବସ୍ଥାରେରେ ଜଳ ଉଠାଣ ପାଇଁ ଟାଙ୍କି ଓ ମୋଟର ବ୍ୟବସ୍ଥା କରାଗଲା। ଏଥିପାଇଁ ଏକ ଏଜେନ୍ସି ମାଧ୍ୟମରେ କାର୍ଯ୍ୟ କରାଯାଇଥିଲା। ତେବେ ଏଥିରେ ଚଞ୍ଚକତା କରାଯାଇ ଅର୍ଥ ତୋଷରପାତ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ବର୍ଷ ଏହି କାର୍ଯ୍ୟ କରିବାର ମାତ୍ର କିଛି ଦିନ ଉକ୍ତ ସୋଲାର ନଳକୂଅ କାର୍ଯ୍ୟକ୍ଷମ କରିବା ପରେ ତାହା ଅଚଳ ହୋଇପଡ଼ିଛି। ଆଜକୁ ଏକ ବର୍ଷ ହେଲା ଆଉ ତାହା କାର୍ଯ୍ୟକ୍ଷମ କରୁନାହିଁ। ଫଳରେ ପିଇବା ପାଣି ପାଇଁ ଆଡକି ଗ୍ରାମବାସୀ ଚୁଆ ଏବଂ ନାଳ ଜଳ ଉପରେ ନିର୍ଭର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏନେଇ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଜା ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଅଚଳ ମେଶିନକୁ ମରାମତି କରିବା ପାଇଁ ଉକ୍ତ ଏଜେନ୍ସି ନେଇଛନ୍ତି। ସେ ଆଜି ପର୍ଯ୍ୟନ୍ତ ତାକୁ ମରାମତି କରିନାହାନ୍ତି। ତତ୍କାଳ ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ ଦୁଃଶାସନ ବେହେରା ସେହି ସମୟରେ ଉକ୍ତ ଏଜେନ୍ସିଙ୍କୁ ୩ଲକ୍ଷ ଅନୁଦାନର ବିଲ କରିଛନ୍ତି ତେବେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି କହିଛନ୍ତି। ଶୀଘ୍ର ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share