ଜଳକଷ୍ଟ ଭୋଗୁଛନ୍ତି ସୋଲବନ୍ଦୀ ଗ୍ରାମବାସୀ

କୋରେଇ,୧୯ା୧(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ସୋଲବନ୍ଦୀ(ଟିକରସାହି)ଗ୍ରାମରେ ଦୀର୍ଘବର୍ଷ ହେବ ଜଳକଷ୍ଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକେ ଖୋଲା କୂଅ ଉପରେ ଭରସା କରୁଛନ୍ତି। ପାଣିମୁନ୍ଦେ ପାଇଁ ଗ୍ରାମର ମହିଳାମାନଙ୍କୁ ମାଇଲମାଇଲ ଦୂର ଚାଲିବାକୁ ପଡୁଛି। ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଏହି ଗ୍ରାମରେ ୫ ବର୍ଷ ତଳେ ବସୁଧା ଯୋଜନାରେ ୧.୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ପ୍ରକଳ୍ପଟି କାର୍ଯ୍ୟକାରୀ ହେବା ପରେ ଗ୍ରାମର ୨ ସାହିକୁ ଜଳଯୋଗାଣ କରାଯାଇଥିଲା। ହେଲେ ଟିକରସାହିକୁ ଜଳ ଯୋଗାଣ ହୋଇପାରି ନ ଥିଲା। ସେବେଠୁ ଏହି ଗ୍ରାମର ଲୋକେ କୋରେଇ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଜଳ ସମସ୍ୟା ସମାଧାନ ହୋଇପାରୁନାହିଁ। ଗ୍ରୀଷ୍ମ ଋତୁ ଆସିଲେ ଏହି ଗ୍ରାମର ପ୍ରାୟ ୫୦ ପରିବାର ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ହେଲେ ପ୍ରଶାସନର ନିଦ ଭାଙ୍ଗୁନାହିଁ। ନିର୍ମାଣସ୍ଥଳୀ ପରିଭ୍ରମଣ କିମ୍ବା ଆବଶ୍ୟକ ଭିତ୍ତିଭୂମି ତଦାରଖ ନ କରି ଯନ୍ତ୍ରୀମାନେ ପ୍ରୋଜେକ୍ଟ ପ୍ଲାନିଂ ଓ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରି ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରୁଥିବାରୁ ଅଧିକାଂଶ ପ୍ରୋଜେକ୍ଟରେ ଟାଙ୍କି ନିର୍ମାଣ ପରେ ମଧ୍ୟ ପାଣି ମିଳୁନାହିଁ। ଫଳରେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଲକ୍ଷ୍ୟଚ୍ୟୁତ ହେଉଛି। ଏପରି କି ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ବିପୁଳ ଟଙ୍କା ପାଣିରେ ପଡ଼ୁଥିବା ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ମୋଟରର ପ୍ରେସର ହେଉ ନ ଥିବାରୁ ଟିକର ଗ୍ରାମକୁ ପାଣି ଯାଉନାହିଁ। ୨ ଦିନ ମଧ୍ୟରେ ଏହାର ପ୍ରତିକାର କରି ପାଣି ଯୋଗାଇ ଦିଆଯିବ।

Share