ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି। କରୋନା କାଳ ମଧ୍ୟରେ ଦେଶରେ କଳାବଜାରି ମଧ୍ୟ ବୃଦ୍ଧି ପାଇଛି। କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ମେଡିସିନ୍‌, ଇଞ୍ଜେକ୍ସନ, ଅକ୍ସିଜେନ ଓ ଉପକରଣର କଳାବଜାରି ହେଉଥିବା ଘଟଣା ଅନେକ ଥର ନଜରକୁ ଆସିଛି। କେଉଁଟା ଅସଲି ଓ ନକଲି ତାହା ଜାଣିବା ଏବେ କଷ୍ଟକର ହୋଇପଡ଼ିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାହଦର ଜିଲାର ଜଗତପୁରୀରେ। ସୂଚନାଯୋଗ୍ୟ, ଜଗତପୁରୀରେ ରହୁଥିବା ମୋହିତ ଅରୋରାଙ୍କ ପିତା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଅକ୍ସିଜେନର ଆବଶ୍ୟକତା ପଡ଼ିଥିଲା। ତେଣୁ ମୋହିତ ଅକ୍ସିଜେନର ଖାଲି ସିଲିଣ୍ଡିର କିଣିବାକୁ ବାହାରିଥିଲେ। ସେହି ସମୟରେ ସୋସିଆଲ ମିଡିଆରେ ଶାସ୍ତ୍ରୀ ପାର୍କର ଯମୁନା ଖାଦରରେ ରହୁଥିବା ମହମ୍ମଦ ଶକିଲ ଅକ୍ସିଜେନ ସଲିଣ୍ଡର ବିକ୍ରି କରୁଥିବା ନେଇ ସେ ଜାଣିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଦିଆଯାଇଥିବା ନମ୍ବରରେ ମୋହିତ ମହମ୍ମଦଙ୍କୁ ସମ୍ପର୍କ କରିଥିଲେ। ଖାଲି ସିଲିଣ୍ଡର ପାଇଁ ମହମ୍ମଦ ମୋହିତଙ୍କୁ ୧୦ହଜାର ଟଙ୍କା ମାଗିଥିଲେ। ମୋହିତ ତାଙ୍କୁ ଟଙ୍କା ଦେଇ ସିଲିଣ୍ଡର ନେବା ପରେ ସେଥିରେ ଅକ୍ସିଜେନ ଭରିବାକୁ ଯାଇଥିଲେ। ହେଲେ ସେଠାରେ ଏହା ଅକ୍ସିଜେନ ସିଲିଣ୍ଡର ନୁହେଁ ବରଂ ସିଏନ୍‌ଜି ସିଲିଣ୍ଡର ବୋଲି ଜାଣିବାକୁ ପାଇଥିଲେ। ଯେଉଁଥିରେ ଅକ୍ସିଜେନ ଭର୍ତ୍ତି କରାଯାଇପାରିବନାହିଁ। ଏନେଇ ମୋହିତ ଜଗତପୁରୀ ଥାନାରେ ଅଭିଯୋଗ କରିବା ସହ ମହମ୍ମଦଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ମହମ୍ମଦଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ତେବେ ୧୫ଶହ ଟଙ୍କାରେ ସିଏନ୍‌ଜି ସିଲିଣ୍ଡର କିଣି ମୋହିତଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ପୋଲିସ ସମ୍ମୁଖରେ ମହମ୍ମଦ ସ୍ବୀକାର କରିଛି।

Share