Categories: ଫୁରସତ

ଭୟରେ ବିମାନ ବିକିଦେଲେ

ସେଣ୍ଟ ଲୁଇସ: ଆମେରିକାର ପ୍ରସିଦ୍ଧ ପପ୍‌ ସିଙ୍ଗର ଟେଲର୍‌ ସ୍ବିଫ୍ଟ ପୁଣି ଚର୍ଚ୍ଚାରେ ଅଛନ୍ତି। ନିଜ ପାଖେ ଥିବା ଦୁଇଟି ପ୍ରାଇଭେଟ ଜେଟ୍‌ ବିମାନ ମଧ୍ୟରୁ ଗୋଟିଏକୁ ସେ ବିକ୍ରି କରିଛନ୍ତି। ଟେଲରଙ୍କ ପ୍ରାଇଭେଟ ଜେଟ୍‌ ବ୍ୟବହାର ନେଇ ଜଣା ପଡ଼ିବା ପରେ ତାଙ୍କୁ ଅଡ଼ୁଆର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧନୀ ଏବଂ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ବିମାନକୁ ଟ୍ରାକିଂ କରିବାରେ ଖ୍ୟାତି ଅର୍ଜନ କରିଥିବା ୨୧ ବର୍ଷୀୟ ଜ୍ୟାକ୍‌ ସ୍ବିନ, ଟେଲରଙ୍କର ପ୍ରାଇଭେଟ ଜେଟ ବ୍ୟବହାରକୁ ନେଇ ସବିଶେଷ ତଥ୍ୟ ପ୍ରଘଟ କରିଥିଲେ। ସେଣ୍ଟ ଲୁଇସ ସହରର ଗୋଟିଏ ପାଖରୁ ଆଉ ଏକ ପାଖ ପର୍ଯ୍ୟନ୍ତ ୧୩ ମିନିଟ ଧରି ଟେସର୍‌ ନିଜ ପ୍ରାଇଭେଟ ଜେଟ୍‌ରେ ଉଡ଼ିବାର ତଥ୍ୟ ସାମ୍‌ନାକୁ ଆସିବା ପରେ ତାଙ୍କ ବିରୋଧରେ ସମାଲୋଚନା ଆରମ୍ଭ ହୋଇଥିଲା। କାର୍‌ ଯୋଗେ ମାତ୍ର ୩୦ ମିନିଟରେ ଯିବା ଆସିବା ସମ୍ଭବ ହେଉଥିବା ବେଳେ ଏଥିପାଇଁ ଟେଲରଙ୍କ ଦ୍ୱାରା ୧୩ ମିନିଟ ଧରି ନିଜ ପ୍ରାଇଭେଟ ଜେଟ୍‌ ବିମାନ ବ୍ୟବହାର କରାଯିବାକୁ ଅନେକ ନାପସନ୍ଦ କରିଛନ୍ତି। ଏଭଳି ଜେଟ୍‌ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ପରିବେଶବିତ୍‌। ଲଗାତାର ଭାବେ ଟେଲର୍‌ ଓ ତାଙ୍କର ଜେଟ୍‌ ବିମାନ ବ୍ୟବହାରକୁ ନେଇ ଜ୍ୟାକ୍‌ ସ୍ବିନୀ ଟ୍ରାକିଂ କରୁଥିବାରୁ ନିଜର ସୁରକ୍ଷା ପ୍ରତି ବିପଦ ଥିବା ମନେକରି ଟେଲର ନିଜର ଏକ ପ୍ରାଇଭେଟ ଜେଟକୁ ବିକ୍ରି କରିଦେଇଛନ୍ତି।

Share