Categories: ଜାତୀୟ

୩ ମାସର ଝିଅକୁ ୭ ଥର ବିକ୍ରି

ଅମରାବତୀ,୩୧।୩: ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାରେ ଜଣେ ତିନିମାସର ଶିଶୁକନ୍ୟାକୁ ୨ ମାସରେ ୭ ଥର ବିକ୍ରି କରାଯାଇଛି। ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। କନ୍ୟା ସନ୍ତାନର ବାପା ମନୋଜ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। ଲଗାତର ୩ କନ୍ୟା ଜନ୍ମ ହେବାରୁ ମନୋଜ କନିଷ୍ଠ ଝିଅଙ୍କୁ ବିକ୍ରି କରିଥିଲେ। ମନୋଜଙ୍କ ସ୍ତ୍ରୀ ଓ ତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ସତ ପଦାକୁ ଆସିଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ଆନ୍ଧ୍ର ପୋଲିସ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାବେଳେ ଶିଶୁ କନ୍ୟାକୁ ୭ ଥର ବିକ୍ରି କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ମନୋଜ ସ୍ଥାନୀୟ ମହିଳା ମିକିଲି ନାଗାଲକ୍ଷ୍ମୀଙ୍କ ସହାୟତାରେ କୋଣ୍ଡାପ୍ରୋଲୁ ଗ୍ରାମର ମେଘାଓ୍ବାନ୍ତ ଗାୟତ୍ରୀଙ୍କୁ ପ୍ରଥମେ ୭୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ପରେ ଗାୟତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କାରେ କନ୍ୟାଟିକୁ ଦିକ୍‌ସୁଖ ନଗରର ଭୁକ୍ୟା ଭାରଟିରାଜୁଙ୍କୁ ବିକ୍ରି କରିଥିଲେ। ପରେ ୧ଲକ୍ଷ ୮୭ ହଜାର ଟଙ୍କାରେ ଭୁକ୍ୟା ନୂର ଜାହାନଙ୍କୁ କନ୍ୟାଟିକୁ ବିକ୍ରି କରିଥିଲେ। ୧ଲକ୍ଷ ୯୦ ହଜାର ଟଙ୍କାରେ ନୂର ଜାହାନ ବୋମାଡା ଉମାଦେବୀଙ୍କୁ ଓ ଉମାଦେବୀ ୨ ଲକ୍ଷ ୨୨ ହଜାରରେ ବିଜୟାଲକ୍ଷ୍ମୀ ଗୋଲାପୁଡର ଗରିକାମୁକୁଙ୍କୁ ଶିଶୁ କନ୍ୟାକୁ ବିକ୍ରି କରିଥିଲେ। ପରିଶେଷରେ ଗରିକାମୁକୁଙ୍କଠାରୁ ୨ଲକ୍ଷ ୫୦ ହଜାର ଟଙ୍କାରେ ଇଲୁରୁର ଭରେ ରମେଶ କନ୍ୟା ସନ୍ତାନଟିକୁ କିଣିଥିଲେ। ପୋଲିସ ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share