ଯବାନଙ୍କ ପରିବେଶ ଚିନ୍ତା, କ୍ୟାମ୍ପସ୍‌ରେ ଲଗାଇ ସାରିଲେଣି ୪ ହଜାର ଚାରା

ମାଲକାନଗିରି, ୨୮ା୯(ଦୁର୍ଯ୍ୟୋଧନ ପାତ୍ର): ଆମ ଦେଶର ସୁରକ୍ଷା କର୍ମୀ ବିଏସ୍‌ଏଫ୍‌, ଡିଆର୍‌ଜି , ସିଆରପିଏଫ, କୋବ୍ରା, ଓଡିଶା ରାଜ୍ୟ ଆର୍ମ ଫୋର୍ସର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ସହ ଜନତାଙ୍କ ଧନ ଜୀବନ ରକ୍ଷା କରିବା ନେଇ ଦାୟିତ୍ୱ ତୁଲାଇଥାନ୍ତି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ପରିବେଶ ସନ୍ତୁଳନରେ ଭାରସାମ୍ୟ ରହୁ ନ ଥିବାରୁ ବାତ୍ୟା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଜଳସ୍ତର ହ୍ରାସ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଏହାକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ମଧ୍ୟରେ ମାଲକାନଗିରି ଜିଲା ସଦର ମହକୁମା ଏମ୍‌.ଭି.-୩, ସ୍ଥିତ ଓଏସ୍‌ଏପି ବାଟାଲିୟନ କ୍ୟାମ୍ପସରେ ଯବାନମାନେ ୪ ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରି ସାରିଲେଣି। ବୁଧବାର ଅନୁଷ୍ଠିତ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ୨୫୦ ପ୍ରକାରର ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଅତିରିକ୍ତ କମାଣ୍ଡାଣ୍ଟ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରତ୍ୟେକ ବ୍ୟକ୍ତି, ଛାତ୍ରୀଛାତ୍ର ନିଜ ବାଡି ବଗିଚାରେ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅତରିକ୍ତ କମାଣ୍ଡାଣ୍ଟ ହେମନ୍ତ ଦାସ, ଏସ୍‌ଆଇ ପ୍ରିୟରଞ୍ଜନ ନାୟକ, ଅକ୍ଷୟ ଘଡେଇ, ହାବିଲଦାର କ୍ରିଷ୍ଣ ସରକାର, ସନ୍ତୋଷ ବିଶି, ସମୀର ପରିଡା, ବିଭୁ ହରିଜନଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ।

Share