ଅସ୍ତରଙ୍ଗ,୨୬।୧୧(ପ୍ରଦୀପ୍ତ ଦୀକ୍ଷିତ୍)କାର୍ତ୍ତିକ ପୂର୍ଣ୍ଣିମାକୁ ମୁଖ୍ୟତଃ ଲୋକେ ଡଙ୍ଗାଭସା ପୂର୍ଣ୍ଣିମା ରୂପେ ଜାଣିଥାନ୍ତି। ଏହି ପୂର୍ଣ୍ଣିମା ଆସିଲେ ଲୋକଙ୍କ ଖୋଜା ପଡ଼େ ଡଙ୍ଗା। ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ପ୍ରତୀକ ଏହି ଡଙ୍ଗାଭସା ପୂର୍ଣ୍ଣିମା। କିଏ କିଏ କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇଥାନ୍ତି ତ ପୁଣି କିଏ ସୋଲ, କାଗଜ ଡଙ୍ଗା ଭସାଉଥିବା ଦେଖିବାକୁ ମିଳେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଚଳଚଞ୍ଚଳ ହୋଇଥାନ୍ତି ଡଙ୍ଗା କାରିଗର। ଏମିତି ଜଣେ ସୋଲ କାରିଗର ହେଲେ ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳର ବ୍ରଜସୁନ୍ଦର ଦାସ। ପାଖାପାଖି ୫୦ରୁ ୬୦ ପ୍ରକାରର ଡଙ୍ଗା ତିଆରି କରି ବଜାରରେ ବିକ୍ରି କରିଥାନ୍ତି। ଏହି ଡଙ୍ଗାର ମୂଲ୍ୟ ୫ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କାର୍ତ୍ତିକ ପୂର୍ଣ୍ଣିମାର ୩/୪ ମାସ ଆଗରୁ ବ୍ରଜସୁନ୍ଦର ଡଙ୍ଗା ତିଆରିରେ ଲାଗିପଡ଼ନ୍ତି। ଡଙ୍ଗା ତିଆରି ପାଇଁ କଟକରୁ ବିଭିନ୍ନ ପ୍ରକାର କଞ୍ଚାମାଲ ସଂଗ୍ରହ କରି ସେଥିରେ ମନ୍ଦିର, ବତକ, ହଂସ ଓ ଯୁଦ୍ଧଜାହାଜ ଆକୃତିର ଡଙ୍ଗା ତିଆରି କରିଥାନ୍ତି। ବ୍ରଜସୁନ୍ଦରଙ୍କ ହାତତିଆରି ଡଙ୍ଗା ପାଇଁ ବିଭିନ୍ନ ଅଞ୍ଚଳ ବ୍ୟବସାୟୀମାନେ ଭିଡ଼ ଜମାଇଥାନ୍ତି। ଏହାସହ ସେ ସ୍ଥାନୀୟ ଅସ୍ତରଙ୍ଗ ବଜାର ସହ ଆଖପାଖ ଅଞ୍ଚଳରେ ଡଙ୍ଗା ବିକ୍ରି କରିଥାନ୍ତି। ବିଶ୍ୱାସ ରହିଛି ଆଗ କାଳରେ ସାଧବମାନେ ସାତ ସମୁଦ୍ର ପାରି ହୋଇ ବୋଇତ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ। ଆଉ ସେହି ପୁରୁଣା ସ୍ମୃତିକୁ ମନେରଖିବାକୁ ବୋଇତ ବନ୍ଦାଣ ଉତ୍ସବ କରାଯାଇଥାଏ। ଆଉ ଏକ ଲୋକକଥା ଅନୁସାରେ କାର୍ତ୍ତିକ ମାସରେ ଡଙ୍ଗା ଭସାଇବା ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ।