ସହରାଞ୍ଚଳ ବନ୍ୟାର ସମାଧାନ

ଅନିଲ ବିଶ୍ୱାଳ

ଏବେ ନଈବଢ଼ିର ଦୃଶ୍ୟ ରଚନା ଲେଖିବା କେବଳ ଗାଁ ପିଲାଙ୍କ ପାଇଁ ସହଜ ହୋଇନାହିଁ ବରଂ ସହରର ପିଲାମାନେ ଅନୁଭୂତିର ଆଧାରରେ ବନ୍ୟାର ଦୃଶ୍ୟ ଲେଖିପାରିବା ସ୍ଥିତି ଆସିଗଲାଣି। ଦୁନିଆର ସବୁଠାରୁ ଆଧୁନିକ ସହର ନ୍ୟୁୟର୍କ, ଲଣ୍ଡନ, ଟରୋଣ୍ଟୋ, ବେଜିଂ, ସିଙ୍ଗାପୁର ଭଳି ସହରଗୁଡ଼ିକ ମଧ୍ୟ ସହରାଞ୍ଚଳ ବନ୍ୟାରେ ପ୍ରଭାବିତ। ଆମ ଦେଶର ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ସୁରଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ ଭଳି ସହରରେ ମଧ୍ୟ ବର୍ଷାଦିନେ ବନ୍ୟାର ଭ୍ରମ ସୃଷ୍ଟି କରେ। ଭୁବନେଶ୍ୱରରେ ବର୍ଷା ହେଲା ମାନେ ରାସ୍ତାରେ ନଦୀର ଧାର ଭଳି ପାଣି ଚାଲେ। ଏହାକୁ କିଛି ଲୋକ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଦେଖି ସହରାଞ୍ଚଳରେ ବନ୍ୟା ହେଲେ ସରକାରୀ ବ୍ୟବସ୍ଥା ବା ଶାସକ ଦଳକୁ ଦାୟୀ କରନ୍ତି। ହେଲେ ଏହି ପ୍ରସଙ୍ଗ କେବଳ କେଉଁ ଗୋଟିଏ ସହରର ସମସ୍ୟା ନୁହେଁ। ବରଂ ଏହା ହେଉଛି ଏକ ସାମାଜିକ, ପରିବେଶଗତ ଓ ଲମ୍ବା ସମୟର ପରିଚାଳନାଗତ ତ୍ରୁଟିର ପ୍ରସଙ୍ଗ।
ସହରାଞ୍ଚଳ ବନ୍ୟାର ଅନେକ କାରଣ ଅଛି। ପ୍ରଥମ କାରଣ ହେଲା ସହରମାନଙ୍କରେ ଥିବା ଡ୍ରେନେଜ ବ୍ୟବସ୍ଥା କେବଳ ବର୍ଜ୍ୟ ଜଳ ନିଷ୍କାସନ ପାଇଁ ତିଆରି ହୋଇଛି। ବର୍ଷା ଦିନେ ବର୍ଷା ଜଳ ସେହି ନାଳିରେ ନିଷ୍କାସନ ହେଉଛି। ସହରରେ ଲୋକସଂଖ୍ୟା ବଢ଼ିବା ଯୋଗୁ ବ୍ୟବହୃତ ବର୍ଜ୍ୟ ଜଳର ପରିମାଣ ମଧ୍ୟ ବଢୁଛି, ଯାହାଫଳରେ ନାଳିଗୁଡ଼ିକ ବର୍ଷାଦିନ କଥା ଛାଡ଼ନ୍ତୁ, ଖରାଦିନେ ମଧ୍ୟ ପୂରା ପୂର୍ଣ୍ଣ ରହୁଛି। ସେଭଳି ସ୍ଥିତିରେ ବର୍ଷା ହେଲେ ସହରରୁ ପାଣି ନିଷ୍କାସନର ଆଉ କୌଣସି ସୁଯୋଗ ନାହିଁ। ତା’ଛଡ଼ା ସହର ଭିତରେ ସବୁଆଡେ କଂକ୍ରିଟ, ପିଚୁ, କଡ଼ପା ପଡ଼ିଯିବା କାରଣରୁ ବର୍ଷା ଜଳ ମାଟିରେ ନ ଭେଦି ସିଧାସଳଖ ଆସି ନାଳିରେ ପଡୁଛି। ତେଣୁ ସହରରେ ଥିବା ଆବର୍ଜନା ନାଳି ସହିତ ବର୍ଷାଦିନେ ବର୍ଷା ପାଣି ନିଷ୍କାସନ ପାଇଁ ଅଲଗା ନାଳିର ବ୍ୟବସ୍ଥା କରିବାକୁ ହେବ, ଯାହାଫଳରେ ବର୍ଷା ଜଳ ସେହି ଅଲଗା ନାଳିରେ ନିଷ୍କାସନ ହୋଇପାରିବ। ଆଗରୁ ବର୍ଷାଦିନେ ସହରର ପାଣି ସହରର ଚାରିପାଖରେ ଥିବା ତଳି ଅଞ୍ଚଳକୁ ବୋହିଯାଉଥିଲା। ହେଲେ ଏବେ ସେହି ତଳି ଅଞ୍ଚଳରେ ନୂଆ ସହର ଗଢ଼ି ଉଠିବା ଫଳରେ ସହରର ମୁଖ୍ୟ ଅଞ୍ଚଳ ଜଳବନ୍ଦୀର ରୂପ ନେଉଛି। ପ୍ରାୟତଃ ସବୁ ସହରରେ କିଛି ନା କିଛି ପ୍ରାକୃତିକ ଜଳ ସ୍ରୋତର ପ୍ରବାହ ବିଭିନ୍ନ ରୂପରେ ଥିଲା, ଯେପରି କି ନାଳ ବା ନଦୀ ଆକାରରେ। ହେଲେ କାଳକ୍ରମେ ସହରର ସବୁ ବର୍ଜ୍ୟନାଳିର ପାଣିକୁ ସେଥିରେ ସଂଯୋଗ କରିଦେଲେ ଆଉ ନଦୀକୁ ନାଳିରେ ପରିଣତ କରିଦେଲେ। ନାଳିରେ ବିଭିନ୍ନ କଠିନ ବସ୍ତୁକୁ ପକାଇବା ଫଳରେ ନାଳି ଜାମ ହୋଇଯିବା ସ୍ଥିତି ଏମିତି ଯେ ଗୋଟିଏ ସ୍ଥାନରେ ନାଳି ଜାମ ହୋଇଯାଇଥିବ, ସାରା ଅଞ୍ଚଳ ଜଳମଗ୍ନ। ତେଣୁ ଏଠାରେ ଲୋକ ସଚେତନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ଯେତେବେଳେ କୌଣସି ସହରରେ ଜଳବନ୍ଦୀ ହୋଇଯାଏ ସେତେବେଳେ ଏହା ସେହି ସମୟ ପାଇଁ ବଡ଼ ଖବର ହୋଇଯାଏ। ପୁଣି ବର୍ଷା ଦିନ ସରିଗଲେ ସମସ୍ତେ ଭୁଲି ଯାଆନ୍ତି ସମସ୍ୟାକୁ। କେହି ଏହାର ସ୍ଥାୟୀ ସମାଧାନ ବା ନିରାକରଣ କଥା ଚିନ୍ତା କରନ୍ତି ନାହିଁ। ମୌସୁମୀ ଆସିବା ପୂର୍ବରୁ କେବଳ ନାଳିଗୁଡ଼ିକ ସଫା କରିଦେବା ହେଉଛି ସହରାଞ୍ଚଳ ବନ୍ୟା ରୋକିବାର ଏକମାତ୍ର କାମ। ତା’ପରେ ପାଣି ଜମିଗଲା ପରେ ପାଣି ପମ୍ପ ଲଗାଇ ପାଣି ଖାଲି କରିଦେବା ହେଉଛି ପରବର୍ତ୍ତୀ କାମ। ହେଲେ ସ୍ଥାୟୀ ସମାଧାନ କଥା କେହି ଚିନ୍ତା କରୁନାହାନ୍ତି।
ଏବେ ବିଶେଷ ଭାବରେ ଆମ ଦେଶର ବିଭିନ୍ନ ସହରରେ ଯେଉଁ ପ୍ରକାର ନାଳି ପରିଚାଳନା ବ୍ୟବସ୍ଥା ଅଛି ତାହା ପୁରୁଣାକାଳିଆ ହୋଇଗଲାଣି। ଏହାର ବୈଷୟିକ ପରିବର୍ତ୍ତନ ଆବଶ୍ୟକ ପଡ଼ିଲାଣି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନର ଚଳିତ ବର୍ଷର ବଜେଟ ହେଉଛି ୬୦୧ କୋଟି ଟଙ୍କା। ସେଥିରୁ କେବଳ ୨୩୫କୋଟି ଟଙ୍କା ହେଉଛି ନାଳି ସଫାଇ, ମରାମତି, ନୂଆ ନାଳି ନିର୍ମାଣ ପାଇଁ। ଅର୍ଥାତ୍‌ ବିଏମ୍‌ସିର ପାଖାପାଖି ୩୯%ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି କେବଳ ସହରରେ ନାଳି ନର୍ଦ୍ଦମା ପରିଚାଳନାରେ। ସେହିଭଳି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନର ଚଳିତ ବର୍ଷ ୧୫୪୦ କୋଟି ଖର୍ଚ୍ଚ ଆବଣ୍ଟିତ ହୋଇଛି କେବଳ ବର୍ଷାଦିନେ ମୁମ୍ବାଇ ସହରରେ ଜଳମଗ୍ନ ହେଲେ ସେଥିରୁ ଜଳ ନିଷ୍କାସନ ପାଇଁ। ମୁମ୍ବାଇ ସହର ଭିତରେ ୫ଟି ପ୍ରାକୃତିକ ନଦୀ ଅଛି, ଯାହା କାଳକ୍ରମେ ସହରର ଆବର୍ଜନା ନାଳିରେ ପରିଣତ ହୋଇଛି। ଏହାର ପୁନରୁଦ୍ଧାର ପାଇଁ ୬୦୦କୋଟି ଟଙ୍କା, ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲାଗି ୧୩୪୦ କୋଟି ଟଙ୍କା ଏବର୍ଷ ମୁମ୍ବାଇରେ ଖର୍ଚ୍ଚ ହେବ। କହିବାର ଅର୍ଥ ହେଲା ଯେ ଧୀରେ ଧୀରେ ସହରଗୁଡ଼ିକରେ ଡ୍ରେନେଜ ବ୍ୟବସ୍ଥା ଦିନକୁ ଦିନ ସମସ୍ୟା ବହୁଳ ଓ ବ୍ୟୟବହୁଳ ହୋଇଯାଉଛି।
ଭୁବନେଶ୍ୱର ସ୍ମାର୍ଟସିଟିର ଯେଉଁ ଯୋଜନାଟି ଅଛି ସେଥିରେ ବର୍ଷାଦିନେ ହେଉଥିବା ବନ୍ୟାରୁ ସହରକୁ ବଞ୍ଚାଇବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ କହିଲେ ଠିକ୍‌ ହେବ। ସେହି ପରିକଳ୍ପନାରେ ବର୍ଷାଦିନେ ବର୍ଷା ଜଳ ନିଷ୍କାସନ ପାଇଁ ଏକମାତ୍ର ବିକଳ୍ପ ଭାବରେ ଅଳିଆ ପାଣି ଯାଉଥିବା ନାଳିକୁ ହିଁ ରଖାଯାଇଛି। ୨୦୧୨ରେ ଚାଇନାର ବେଜିଂ ସହରରେ ଏକ ଭୟଙ୍କର ବନ୍ୟା ହୋଇଥିଲା, ଯେଉଁଥିରେ ସହରର ପରିବହନ ଓ ବିଦ୍ୟୁତ୍‌ ବ୍ୟବସ୍ଥା ନଷ୍ଟ ହୋଇଯାଇଥିଲା। ଏହା ପରେ ଚାଇନା ସରକାର ଏକ ନୂଆ ରାସ୍ତା କାଢ଼ିଲେ, ଯାହାକୁ ସେମାନେ ସ୍ପଞ୍ଜ ସିଟି ବୋଲି କହୁଛନ୍ତି। ସେଥିରେ ସେମାନେ ବର୍ଷା ଦିନର ବନ୍ୟାକୁ ରୋକିବାର ମଡେଲ ବନାଇବା ସହ ଜଳ ସଂରକ୍ଷଣର ରାସ୍ତା ମଧ୍ୟ କାଢ଼ିଛନ୍ତି।
ଆମ ଆଗରେ ଏହି ସହରାଞ୍ଚଳ ବନ୍ୟାରୁ ମୁକୁଳିବା ପାଇଁ ମୁଖ୍ୟତଃ ଦୁଇଟି ରାସ୍ତା। ଗୋଟିଏ ହେଲା ବର୍ଷା ଜଳକୁ ବୋହିବାକୁ ନ ଦେଇ ସଂରକ୍ଷିତ କରିବା ଓ ଅନ୍ୟଟି ବର୍ଷା ଜଳକୁ ସୁବିଧାରେ ନିଷ୍କାସନ କରାଇ ଦେବା। ପ୍ରଥମଟି ହେଉଛି ଏକ ବ୍ୟୟବହୁଳ, କିନ୍ତୁ ଏକ ନିଶ୍ଚିନ୍ତ ସମାଧାନ। ଏବେ ସହର ଭିତରେ ରାସ୍ତା ମଝିରେ ଯେଉଁ ବୃକ୍ଷରୋପଣ ହେଉଛି ସେହି ସ୍ଥାନରେ ବାୟୋସ୍ବେଲ କରିବାକୁ ହେବ। ସେହିଭଳି ସମସ୍ତଙ୍କ ଛାତ ଉପରେ ବର୍ଷାଜଳର ସଂରକ୍ଷଣ ଓ ବ୍ୟବହାରକୁ ବାଧ୍ୟତାମୂଳକ କରିବାର ଆବଶ୍ୟକତା ରହିଛି। ସହର ମଧ୍ୟରେ ଏବେ ବର୍ଷା ଜଳ ସଂରକ୍ଷଣ ପାଇଁ ପୋଖରୀ ଖୋଳିବାର ମଧ୍ୟ ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମିଶନ ଅଫ୍‌ ସଷ୍ଟେନେବଲ ହାବିଟାଟର ନିୟମାନୁସାରେ ଯେକୌଣସି ସହରର ୩ରୁ ୫% ପର୍ଯ୍ୟନ୍ତ ସ୍ଥାନ ରହିବ ଜଳାଶୟ ପାଇଁ। ହେଲେ ଦୁଃଖର କଥା ଜଳାଶୟ କରାଯିବ କ’ଣ, ବରଂ ସହରରେ ଆଗରୁ ଥିବା ଜଳାଶୟ ସବୁକୁ ନଷ୍ଟ କରିଦିଆଯାଉଛି। ବର୍ତ୍ତମାନ ଭାରତର ସହରାଞ୍ଚଳରେ ଦେଖାଯାଉଥିବା ସମସ୍ୟା ଭିତରୁ ସବୁଠାରୁ ବଡ଼ ସମସ୍ୟା ହେଉଛି ବର୍ଷାଦିନେ ଜଳ ନିଷ୍କାସନ ଓ ଖରାଦିନେ ଜଳ ଯୋଗାଣ। ହେଲେ ଦୁଇଟି ଯାକ ସମସ୍ୟାର ସମାଧାନ ମଧ୍ୟ ଗୋଟିଏ ଉପାୟରେ କରାଯାଇପାରେ, ଯଦି ସହର ଭିତରେ ବର୍ଷା ଜଳକୁ ସଂରକ୍ଷଣ ବ୍ୟବସ୍ଥା କରାଯାଏ।
ହରିରାଜପୁର, ପୁରୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri