ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା ଦେଇଛନ୍ତି। ସୈନିକ ଅଧିକାରୀ କ୍ୟାପଟେନ ଅବଦୁଲ୍ଲା ମହମ୍ମଦ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି ୧୨ ଜଣ ଅଲ-ଶବାବ ସଦସ୍ୟ ନିହତ ହୋଇଛନ୍ତି। କିନ୍ତୁ ପ୍ରକୃତରେ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ଏବଂ ସରକାରଙ୍କ ନିୟନ୍ତ୍ରଣରେ ରହିଛି।

ସେନା ଅଧିକାରୀ କ୍ୟାପଟେନ ଅବଦୁଲ୍ଲୀ ମହମ୍ମଦ ରଏଟର୍ସକୁ କହିଛନ୍ତି ସହର ଉପକଣ୍ଠରେ ଘଣ୍ଟା ଘଣ୍ଟା ଧରି ସଂଘର୍ଷ ଜାରି ରହିଥିଲା। ମୁଁ ଜାଣେ ଯେ ଆମର ଅନେକ ସୈନିକଙ୍କୁ ହରାଇଛୁ, କିନ୍ତୁ ପ୍ରକୃତ ସଂଖ୍ୟା କେତେ ତାହାର ସୂଚନା ମୋ ପାଖରେ ନାହିଁ। ଆମେ ସେମାନଙ୍କୁ ଜଙ୍ଗଲରେ ଅନୁସରଣ କରୁଛୁ। ସୋମାଲିଆ ଜାତୀୟ ସେନା ଟୁଇଟରରେ କହିଛି ସେମାନେ ଅଲ-ଶବାବକୁ ତଡ଼ି ଦେଇଛନ୍ତି ଏବଂ ସେମାନଙ୍କ ଯୋଦ୍ଧାମାନଙ୍କୁ ହତ୍ୟା କରିଛନ୍ତି, କିନ୍ତୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ନିଶ୍ଚିତ ହୋଇନାହିଁ।

ଅଲ କାଏଦା ସହ ଜଡିତ ଅଲ-ଶବାବ ସୋମାଲିଆର କେନ୍ଦ୍ର ସରକାରକୁ ହଟାଇବା ଏବଂ ଇସଲାମିକ ଶାରିଆ ଆଇନର କଠୋର ବ୍ୟାଖ୍ୟା ଆଧାରରେ ନିଜର ନିୟମ ପ୍ରତିଷ୍ଠା କରିବା ପାଇଁ ୨୦୦୬ ମସିହାରୁ ସଂଗ୍ରାମ କରିଆସୁଛି। ହୋଟେଲ, ସାମରିକ ବେସ ଏବଂ ସରକାରୀ ସ୍ଥାପନ ଉପରେ ଅଲ-ଶବାବ ଅନେକ ଆକ୍ରମଣ କରିଛି। ଅଲ-ଶବାବ ଏକ ବିବୃତ୍ତିରେ କହିଛି ଇରିଟ୍ରିଆରେ ଟ୍ରେନିଂରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇ ୭୩ ସୈନିକଙ୍କୁ ହତ୍ୟା କରାଯାଇଛି।

ଏହାପୂର୍ବରୁ ଅଲ-ଶବାବ ରାଜଧାନୀ ମୋଗାଦିଶୁର ଏକ ପ୍ରସିଦ୍ଧ ହୋଟେଲ ଉପରେ ଆକ୍ରମଣ କରିଥିଲା। ସଶସ୍ତ୍ର ଆକ୍ରମଣକାରୀମାନେ କାର ବୋମା ବିସ୍ଫୋରଣ ମାଧ୍ୟମରେ ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନେକ ମଧ୍ୟ ଗୁରୁତର ଆହତ ହୋଇଥିଲେ।

Share