Categories: ଫୁରସତ

କରୋନାରୁ ରକ୍ଷା ପାଇବା ପାଇଁ ଗୋବର, ଗୋମୂତ୍ରରେ ସ୍ନାନ କରୁଛନ୍ତି ଭାରତୀୟ; ଡାକ୍ତର କହିଲେ…

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଭାରତରେ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସହରବାସୀଙ୍କ ସହିତ ଗାଁର ଲୋକମାନେ ମଧ୍ୟ ଏହି ସଂକ୍ରମଣରୁ କେମିତି ରକ୍ଷା ପାଇବେ ସେନେଇ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।

ମାତ୍ର ଗୁଜରାଟର କିଛି ଲୋକ ଗୋ’ଶାଳାକୁ ଯାଇ ଶରୀରରେ ଗାଈ ଗୋବର ଏବଂ ମୂତ୍ର ବୋଳି ହେଉଛନ୍ତି। ଗୋମୂତ୍ର ପିଇବା ସହ ଏଥିରେ ସ୍ନାନ ବି କରୁଛନ୍ତି। ଏହି ଲୋକଙ୍କ କହିବା କଥା ଏପରି କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ କରୋନା ଭାଇରସ ଶରୀରରେ ପ୍ରବେଶ କରିପାରେ ନାହିଁ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଏକ ଫାର୍ମା କମ୍ପାନୀର ଆସୋସିଏଟ୍‌ ମ୍ୟାନେଜର ଗୌତମ ମଣିଲାଲ ବୋରିସା କହିଛନ୍ତି, ଗୋ’ଶାଳାକୁ କିଛି ଡାକ୍ତର ମଧ୍ୟ ଆସୁଛନ୍ତି। ତାଙ୍କର କହିବା କଥା, ଗୋବର ଏବଂ ଗୋମୂତ୍ର ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଗୌତମ କହିଛନ୍ତି, ଶ୍ରୀ ସ୍ବାମୀନାରାୟଣ ଗୁରୁକୁଳ ବିଶ୍ୱବିଦ୍ୟାଳୟକୁ ଯାଇ ଏହି ‘ଥେରାପୀ’ ପ୍ରୟୋଗ କରୁଛନ୍ତି। ଗୌତମଙ୍କ କହିବା ଅନୁଯାୟୀ, ଗତପର୍ଷ ସେ କରୋନା ପଜିଟିଭି ହୋଇଥିଲେ। ଏପରି ଉପାୟ ଅବଲମ୍ବନ କରିବା ଦ୍ୱାରା ସେ ଏହି ମାରାତ୍ମକ ଭାଇରସକୁ ହରାଇବାରେ ସଫଳ ହୋଇଥିଲେ।

ଅନ୍ୟପକ୍ଷରେ ଭାରତର କିଛି ବୈଜ୍ଞାନିକ ଏବଂ ଡାକ୍ତରମାନେ ମନଗଢ଼ା କରୋନା ଚିକିତ୍ସାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି। ଡାକ୍ତର କୁହନ୍ତି, ଏପରି କରିବା ଦ୍ୱାରା ଲୋକ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଗୋବର ଖାଇବା ଦ୍ୱାରା ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ଏହା ବ୍ୟତୀତ କରୋନା ସଂକ୍ରମଣ ବଢ଼ିବାର ଅଧିକ ଆଶଙ୍କା ରହିଥାଏ।

Share