କିଛି ଲୋକ ସାମ୍ବାଦିକତାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି: ଅନୁରାଗ

ଭୁବନେଶ୍ୱର,୪।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ମାନୁଥିଲେ। ଏବେ କିଛି ଲୋକ ଏହାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେପକାଇଦେବାକୁ ଚାହୁଁଛି। ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ ବୋଲି ମଙ୍ଗଳବାର ଦୈନିକ ଖବରକାଗଜ ‘ସମ୍ବାଦ’ର ୪୦ତମ ସ୍ବନକ୍ଷତ୍ର ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ମତ ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ର ଗଢ଼ିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ମତକୁ ନେଇ ବିତର୍କ ହୋଇପାରେ। ବିଚାରକୁ ନେଇ ଆଲୋଚନା ଓ ସମାଲୋଚନା ହେବ। କିନ୍ତୁ ସମସ୍ତେ ଲକ୍ଷ୍ମଣରେଖା ଭିତରେ ରହିବା ଦରକାର । ବିଚାର ପାର୍ଥକ୍ୟକୁ ସମ୍ମାନକରି ଶିଖିବା ଦରକାର; ଏହା ହିଁ ଗଣତନ୍ତ୍ରର ବଡ଼ ସର୍ତ୍ତ । ସମ୍ବାଦର ମୂଳ ଦାୟିତ୍ୱକୁ ଅଣଦେଖା କରି ବିଚାର କରିବା ଉଚିତ ନୁହେଁ । କିଛି ବିଷୟରେ ଆମ ଭିତରେ ଅସହମତି ଥାଇପାରେ, କିନ୍ତୁ କେତେକ ବିଷୟରେ ଆମକୁ ସହମତ ହେବାକୁ ପଡ଼ିିବ ବୋଲି ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ‘ସମ୍ବାଦ’ ଆଜି କେବଳ ଏକ ଖବରକାଗଜ କିମ୍ବା ଅନୁଷ୍ଠାନ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ଚିନ୍ତାଧାରା, ଭାବ ଓ ଏକ ଅଭିଯାନ। ‘ସମ୍ବାଦ’ର ଫିଚର୍‌ ସମ୍ପାଦକ ଗୌରହରି ଦାସ ଅତିଥି ପରିଚୟ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର୍‌ ପଟ୍ଟନାୟକ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଥିଲେ।

Share