Categories: ଜାତୀୟ

ସତ୍ୟ ପ୍ରକାଶ ପାଇବାରୁ କିଛି ଲୋକ ବିବ୍ରତ ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୩ : ହିନ୍ଦି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସକୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦୀର୍ଘ ଦିନ ଧରି ଧବି ରହିଥିବା ସତ୍ୟ ବାହାରକୁ ଆସିବା ପରେ କିଛି ଲୋକ ବିବ୍ରତ ହୋଇପଡ଼ିଛନ୍ତି। ଫିଲ୍ମକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କ ଉପରେ ପ୍ରଧାନମନ୍ତ୍ରୀ କଡ଼ା ଜବାବ ଦେଇଛନ୍ତି। ମଙ୍ଗଳବାର ଭାଜପା ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ଷ ବର୍ଷ ଧରି ସତ୍ୟକୁ ଦମନ କରାଯିବା ପରେ ଏବେ ଫିଲ୍ମ ମାଧ୍ୟମରେ ସତ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ତେଣୁ କିଛି ଲୋକ ଭୟଭୀତ ଏବଂ ବିବ୍ରତ ହୋଇପଡିଛନ୍ତି।

ସେଭଳି ଲୋକ ଫିଲ୍ମକୁ ସମାଲୋଚନା କରୁଛନ୍ତି। ତଥ୍ୟ ଆଧାରରେ ଏହି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ସେମାନେ ଏହାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଚଳଚ୍ଚିତ୍ର ବିରୁଦ୍ଧରେ ପୁରା ଇକୋସିଷ୍ଟମ ଛିଡା ହୋଇଛି। ମୋର ବିଷୟ ଏକ ଚଳଚ୍ଚିତ୍ର ନୁହେଁ, କିନ୍ତୁ ଯାହା ସତ୍ୟ ତାହା ବାହାରକୁ ଆଣିବା ଦେଶର ହିତରେ। ଯଦି ଏହି ଚଳଚ୍ଚିତ୍ର ଉପରେ କାହାର କିଛି ଆପତ୍ତି ଅଛି, ତେବେ ସେ ଅନ୍ୟ ଫିଲ୍ମ ପ୍ରସ୍ତୁତ କରନ୍ତୁ।

ଏତେ ବର୍ଷ ଧରି ଚାପି ହୋଇ ରହିଥିବା ସତ୍ୟକୁ କିପରି ଅଣାଯାଉଛି ତାହା ଉପରେ ସେମାନେ ଆପତ୍ତି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଫିଲ୍ମର ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ, ସେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି ଏବଂ ତାଙ୍କ ଟିମକୁ ମଧ୍ୟ ଭେଟିଥିଲେ। ଏହାର ଫଟୋ ମଧ୍ୟ ପ୍ରଧାନମନ୍ତ୍ରୀ ଟୁଇଟରରେ ଅପଲୋଡ କରିଛନ୍ତି।

୧୯୯୦ ଦଶକରେ ଜମ୍ମୁ-କଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ଫିଲ୍ମରେ ଦର୍ଶାଯାଇଛି। ଏହି ହତ୍ୟାକାଣ୍ଡ ଯୋଗୁ ଲକ୍ଷ ଲକ୍ଷ କଶ୍ମୀରୀ ପଣ୍ଡିତଙ୍କୁ ପଳାୟନ କରିବାକୁ ପଡିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମଟି ଉତ୍ତରପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା ସମେତ ଦେଶର ବିଭିନ୍ନ ରାଜ୍ୟରେ ଟିକସମୁକ୍ତ ହୋଇଛି।

Share