Categories: ଜାତୀୟ

‘କିଛି ଲୋକେ ଦେଶଭକ୍ତି ବୁଝିପାରନ୍ତି ନାହିଁ’

ନୂଆଦିଲ୍ଲୀ,୨୧।୧: ଦୀର୍ଘ ୫୦ ବର୍ଷ ହେଲା ଜଳୁଥିବା ଅମର ଜବାନ ଜ୍ୟୋତିକୁ ରାଜଧାନୀର ଇଣ୍ଡିଆ ଗେଟ୍‌ରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

“ଏହା ଏକ ବଡ଼ ଦୁଃଖର ବିଷୟ ଯେ, ଆମ ବୀର ଯବାନଙ୍କ ପାଇଁ ଜଳୁଥିବା ଅମର ଅଗ୍ନି ଆଜି ଲିଭାଇ ଦିଆଯିବ। କିଛି ଲୋକ କଦାପି ଦେଶଭକ୍ତି ଓ ବଳିଦାନ ବୁଝିପାରିବେ ନାହିଁ। କିଛି କଥା ନାହିଁ। ଆମ ଯବାନଙ୍କ ପାଇଁ ଆମେ ପୁଣି ଥରେ ଅମର ଜବାନ ଜ୍ୟୋତି ଜାଳିବୁ” ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।

ଏହି ଅମର ଜ୍ୟୋତିକୁ ଶୁକ୍ରବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନ୍ୟାଶନାଲ ଓ୍ବାର ମେମୋରିଆଲ ଜ୍ୟୋତିରେ ମିଶ୍ରିତ କରାଯିବ। ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡିଫେନ୍ସ ଷ୍ଟାଫ ଚିଫ୍‌, ଏୟାର ମାର୍ଶଲ ବଳଭଦ୍ର ରାଧା କ୍ରୀଷ୍ଣ ଅଧ୍ୟକ୍ଷତା କରିବେ।

ଉଲ୍ଲେଖଯୋଗ୍ୟ, ୪୦ ଏକର ଯାଗରେ ୧୭୬ କୋଟି ଟଙ୍କାରେ ନିର୍ମିତ ନ୍ୟାଶନାଲ ଓ୍ବାର ମେମୋରିଆଲକୁ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। ତା’ ପରଠୁ ଏଠାରେ ସମସ୍ତ ସାମରିକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ବ୍ରିଟିଶ ସରକାର ପ୍ରଥମ ବିଶ୍ୱ ଯୁଦ୍ଧ (୧୯୧୪ରୁ ୨୧)ରେ ପ୍ରାଣ ହରାଇଥିବା ବ୍ରିଟିଶ ଇଣ୍ଡିଆନ ଆର୍ମିଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍‌ ନିର୍ମାଣ କରିଥିଲା। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ସହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ୧୯୭୨ରେ ଅମର ଜବାନ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଇଥିଲା।

Share