ପାରିବାରିକ କଳହରୁ ବାପାଙ୍କୁ ହତ୍ୟା: ପିତୃହନ୍ତା ପୁଅ ଗିରଫ, ଫିନାଇଲ ପିଇ ବୋହୂ ଗୁରୁତର

ଝାରସୁଗୁଡ଼ା ଅଫିସ,୫ା୮- ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବୃଦ୍ଧ ବାପାଙ୍କୁ ପୁଅ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ କାର୍ତ୍ତିକ ଗିରି(୬୫)। କାର୍ତ୍ତିକଙ୍କ ସ୍ତ୍ରୀ ଗୀତା ରେଙ୍ଗାଲି ଥାନାରେ ପୁଅ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଆଇପିସି ଦଫା ୩୦୨ରେ ଏକ ମାମଲା (ନଂ୧୩୭/୨୨) ରୁଜୁ କରିଛି। ତଦନ୍ତ ପରେ ପୋଲିସ ପିତୃହନ୍ତା ପୁଅ ଦିଲୀପ ଗିରି(୪୦)ଙ୍କୁ ତାଙ୍କ ଘରୁ ଗିରଫ କରିଛି। ଘଟଣାକୁ ନେଇ କାର୍ତ୍ତିକଙ୍କ ବୋହୂ ନିଲମ ଫିନାଇଲ୍‌ ପିଇ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବେଲପାହାଡସ୍ଥିତ ଟାଟା କ୍ରୋସାକୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଦିଲୀପ ଅନେକ ସମୟରେ ମଦପିଇ ଘରକୁ ଆସି ସ୍ତ୍ରୀ ନିଲମଙ୍କ ସହିତ ଝଗଡା କରନ୍ତି। ବାରମ୍ବାର ଏଭଳି ଘଟଣା ନେଇ ଘରେ ଅଶାନ୍ତି ସୃଷ୍ଟି ହେଉଥିଲା। ଗୁରୁବାର ରାତିରେ ଘରେ କଳହ ହେବାରୁ ଏଥିରେ ମ୍ରିୟମାଣ ହୋଇ ନିଲମ ଫିନାଇଲ୍‌ ପିଇଦେଇଥିଲେ। ଏଥିପାଇଁ କାର୍ତ୍ତିକ ପୁଅକୁ ଦାୟୀକରି ତୋ ପାଇଁ ମୋ ବୋହୂ ଫିନାଇଲ୍‌ ପିଇଲା ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଦିଲୀପ ଘରେ ଥିବା ଏକ ଫୁଲକୁଣ୍ଡ ଉଠାଇ ବାପାଙ୍କ ଉପରେ କଚାଡି ଦେଇଥିଲେ ା ଏଥିରେ ବାପା ଆହତ ହୋଇ ତଳେ ପଡିଯାଇଥିଲେ। ଏତିକିରେ ପୁଅ ଶାନ୍ତ ନ ହୋଇ ତଳେ ପଡିଥିବା ବାପାଙ୍କ ଛାତି ଉପରେ ଚଢି ନାଚିଥିଲେ। ଏଥିରେ ବାପା ଅଣନିଃଶ୍ୱାସୀ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।