ମା’, ବାପାଙ୍କୁ ହାଣିଲା ପୁଅ

ନୂଆଗାଁ, ୨୬।୧୨ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣିଛି। ପନିକି ସହ ଶିଳପୁଆରେ ଆକ୍ରମଣ ଯୋଗୁ ବୃଦ୍ଧ ମା’, ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୋନବଧ ସିଂ (୬୫) ଓ ତାଙ୍କ ସ୍ତ୍ରୀ ଲୀଲା ସିଂ (୬୦)। ପୋଲିସ ବଡ଼ପୁଅ ଜୟ ସିଂ(୪୦)ଙ୍କୁ ଗିରଫ କରିଛି।
ବିଶପୁର ଗ୍ରାମର ମୂଳବାସିନ୍ଦା ମୋନବଧ ସପରିବାର ରହନ୍ତି। ଜୟ ଓ ସାନପୁଅ ସୁନୀଲ ମଧ୍ୟ ମା’ବାପାଙ୍କ ସହ ରହନ୍ତି। ଜୟ ବିବାହିତ। ସୁନୀଲ ଥିଲେ ଅବିବାହିତ। ସୁନୀଲଙ୍କ ବିବାହ ପାଇଁ କୁଆଡେ ଝିଅ ଖୋଜା ଚାଲିଥିଲା। ସେପଟେ ଜୟ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମଝିରେ ମଝିରେ ବିଶପୁରସ୍ଥିତ ନିଜ ଗାଁକୁ ଆସୁଥିଲେ। କିଛି ମାସ ପୂର୍ବରୁ ଜୟ ଗାଁକୁ ଫେରିଥିଲେ। ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଲୀଲା ଉଠାଇ ଥିଲେ। ସୁନୀଲଙ୍କ ବିବାହ ପାଇଁ ଜମି ବିକିବା ଲାଗି ଘରେ ଆଲୋଚନା ଚାଲିଥିଲା। ସେ ସମୟରେ ପରିବାର ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଅନୁରୂପ ଭାବେ ଜମି
ମା’, ବାପାଙ୍କୁ …
ବିକ୍ରିକୁ ନେଇ ଲୀଳା ଘରେ ଆଲୋଚନା କରୁଥିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ ପୁଅ ଜୟ ମା’ ଓ ବାପାଙ୍କୁ ପନିକି ଓ ଶିଳପୁଆରେ ଆକ୍ରମଣ କରିଥିଲେ। ଏଥିରେ ମା’ ଓ ବାପା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଜୟଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ସ୍ତ୍ରୀ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳକୁ ଯାଇ ଜୟଙ୍କୁ ବାରଣ କରିଥିଲେ। ଜୟ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଘଟଣା ସମୟରେ ସୁନୀଲ ଘରେ ନ ଥିଲେ।
ଖବରପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ପନିକି, ଶିଳପୁଆ ଆଦିକୁ ଜବତ କରିଛି। ଏ ନେଇ ବିଶ୍ରା ଥାନାରେ ଏକ ହତ୍ୟା ମାମଲା (ନଂ. ୧୬୪/୨୦) ରୁଜୁ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ମଧ୍ୟ ପହଞ୍ଚତ୍ ତଦନ୍ତ କରିଛି।