ରେଢାଖୋଲ,୭ା୨(ଡି.ଏନ.ଏ.): ବାପାଙ୍କୁ କଟୁରିରେ ହାଣି ପୁଅ ରାମଚନ୍ଦ୍ର ସାହୁ ଫେରାର ହେବା ଭଳି ଏକ ଅଭାବନୀୟ ଘଟଣା ରେଢାଖୋଲ ଥାନା କୁଶାପାଲି ଗ୍ରାମରେ ଘଟିଛି। ଏ ନେଇ ବାପା ରମେଶ ସାହୁ ରେଢାଖୋଲ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଦଫା ୩୦୭ରେ ଏକ ମାମଲା (ନଂ ୩୧/୨୨) ରୁଜୁ କରିଛି। ପୋଲିସ ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ଖୋଜୁଛି।
ପ୍ରକାଶ ଯେ, ପ୍ରାୟ ୧ ବର୍ଷ ହେବ ପାରିବାରିକ କନ୍ଦଳକୁ ନେଇ ପୁଅ ରାମଚନ୍ଦ୍ର ମା’ ବାପାଙ୍କୁ ବିଭିନ୍ନ ସମୟରେ ମାରପିଟ କରୁଥିଲେ। ଏପରିକି ଗତ ଅଗଷ୍ଟ ମାସରେ ରାମଚନ୍ଦ୍ର ବାପାଙ୍କୁ ମାଡ଼ ମାରିଥିଲେ। ଫଳରେ ବାପା ରମେଶଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାରେ ପୋଲିସ ରାମଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନରେ ଆସିବା ପରେ କିଛି ମାସର ନୀରବତା ପରେ ପୁଣି ବାପାଙ୍କ ସହିତ ଗଣ୍ଡଗୋଳ କରି ଏକ କଟୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ରମେଶ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।