ମା’ଙ୍କୁ ହତ୍ୟା କରି ଅଗଣାରେ ଜାଳିଦେଲେ ମୃତଦେହ। ଏତିକିରେ ବୁଝିଲା ନାହିଁ ପୁଅର ରାଗ। ମା’ଙ୍କ ଚିତାନିଆଁରେ ଚିକେନ ରୋଷେଇ କରି ଖାଇଲେ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାର ଜୋଜୋଗୁଟୁ ଗାଁରୁ।
ସୂଚନା ମୂତାବକ, ଶୁକ୍ରବାର ରାତିରେ ପବନଙ୍କୁ ମଦ ପିଇବାରୁ ରୋକିଥିଲେ ମା’। ଏଥିରେ ଉତ୍ତ୍ୟକ୍ତ ହୋଇ ପବନ ସୋୟ ୬୦ ବର୍ଷୀୟା ମା’ଙ୍କ ହାତଗୋଡ଼ ବାନ୍ଧି ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଅଗଣାରେ କିରୋସିନ ଢ଼ାଳି ଜାଳି ଦେଇଥିଲେ ମୃତଦେହ। ମା’ଙ୍କ ଚିତାନିଆଁରେ ଚିକେନ୍ ରୋଷେଇ କରି ଖାଇଥିଲେ ଅଭିଯୁକ୍ତ ପୁଅ। ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଭାଉଜଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ଗ୍ରାସବାସୀ ଘଟଣାସ୍ଥଳରେ ପହଞ୍ଚି ବାନ୍ଧି ପକାଇଥିଲେ ଅଭିଯୁକ୍ତଙ୍କୁ। ଖବର ପାଇଁ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପବନ ୨୦୧୬ରେ ବାପାଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏଥି ଯୋଗୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। କିଛି ଦିନ ତଳେ ଜାମିନରେ ଘରକୁ ଆସିଥିଲେ।